ଋଷ ଆକ୍ରମଣର ୩୧ ଦିନ ପରେ ଏକାଠି ମଞ୍ଚରେ ବସିଲେ ୟୁକ୍ରେନ ଓ ଆମେରିକାର ନେତା, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେଲା ଆଲୋଚନା ?

232

କନକ ବ୍ୟୁରୋ : ଋଷ ଏବେ ବି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଲାଗିଥିବା ଯୁଦ୍ଧ ଗୋଟିଏମାସରୁ ଅଧିଦିନ ହେବ ଲାଗି ରହିଛି । ଏହି ଯୁଦ୍ଧରେ ଉଭୟ ଦେଶର ଧନଜୀବନ ନଷ୍ଠ ହେବାରେ ଲାଗିଛି । ସେପଟେ ୟୁକ୍ରେନକୁ ସମର୍ଥନ କରୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁକ୍ରେନର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ ନିକଟରେ ପହଂଚି ସାରିଛନ୍ତି । ଏହି କ୍ରମରେ ଋଷର ଆକ୍ରମଣକୁ ନେଇ ୟୁକ୍ରେନ ଓ ଆମେରିକାର ନେତାମାନେ ଅନୁଷ୍ଠିତ ହୋଇଥିବା ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି ।

ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଆମେରିକା ଓ ୟୁକ୍ରେନର ପ୍ରତିନିଧିମାନେ ଗୋଟିଏ ମଞ୍ଚରେ ବସି ମୁହାଁମୁହିଁ ଆଲୋଚନା କରିଛନ୍ତି । ଏହି ବୈଠଳରେ ୟୁକ୍ରେନର ବିଦେଶମନ୍ତ୍ରୀ ଦିମିତ୍ରୀ କୁଲେବା ଆମେରିକାର ଅଧିକାରୀ ଓ ନେତାଙ୍କ ସହ ବର୍ତ୍ତମାନର ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଏହାସହ ରାଜନୈତିକ ଓ ସୁରକ୍ଷା ପ୍ରସଙ୍ଗରେ ସହାୟତା ନେଇ ୟୁକ୍ରେନ ବିଦେଶମନ୍ତ୍ରୀ ଆମେରିକା ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଏହି କ୍ରମରେ ଆମେରିକାର ରକ୍ଷା ସଚିବ ଲାୟଣ୍ଡ ଜୋ ଅଷ୍ଟିନ ଓ ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ ବ୍ଲିଙ୍କେନଙ୍କ ସହିତ ୟୁକ୍ରେନର ରକ୍ଷାମନ୍ତ୍ରୀ ଓଲେକ୍ସୀ ରୋଜନିକୋବ ଆଲୋଚନା କରିଛନ୍ତି ।

ଏହି ବୈଠକକୁ ନେଇ ୟୁକ୍ରେନ ରକ୍ଷାମନ୍ତ୍ରୀ ଓଲେକ୍ସୀ ରୋଜନିକୋବ କହିଛନ୍ତି କି ସନ୍ଧ୍ୟାରେ ୟୁକ୍ରେନ ବିରୋଧରେ ଋଷର ଆକ୍ରମଣକୁ ନେଇ ବାଇଡେନ ଭାଷଣ ଦେବେ ଓ ଆମେ ସେଥିରେ ଉପସ୍ଥିତ ରହିବୁ । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପୋଲାଣ୍ଡ ଗସ୍ତ ଓ ୟୁକ୍ରେନ ଅଧିକାରୀଙ୍କ ସହ ଆମେରିକା ଅଧିକାରୀଙ୍କ ବୈଠକ ପରେ ଅନୁମାନ କରାଯାଉଛି କି ଉଭୟ ଦେଶ ମିଳିତ ଭାବେ ଋଷ ବିରୋଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ।