ପଞ୍ଚାୟତ ଭଳି ଏକତରଫା ହୋଇନି ପୌର ଫଳାଫଳ । ୧୬ଟି ଜିଲ୍ଲାରେ ବିଜେଡିର ବିଜୟ ପଥରେ ଭାଗ ବସାଇଛନ୍ତି ବିରୋଧୀ

129

କନକ ବ୍ୟୁରୋ: ପୌର ନିର୍ବାଚନରେ ବିଜେଡିର ବିଜୟରେ ଭାଗ ବସାଇଛନ୍ତି ବିରୋଧୀ । ରାଜ୍ୟର ୩୦ ଜିଲ୍ଲାରୁ ୧୬ଟି ଜିଲ୍ଲାରେ ବିରୋଧୀ ବିଜେଡିକୁ ଟକ୍କର ଦେଇଛନ୍ତି । ଯାହା ପଞ୍ଚାୟତ ନିର୍ବାଚନରେ ଆଦୌ ଦେଖା ଯାଇନଥିଲା ।

ପଞ୍ଚାୟତ ନିର୍ବାଚନରେ ବିଜେଡି ଯେପରି ଏକପାଖିଆ ବିଜୟ ହାସଲ କରିଥିଲା, ପୌର ଫଳାଫଳ ସେଥିରେ କିିଛିଟା ରୋକ୍ ଲଗାଇଛି । ଯଦିଓ ବିଜେଡି ୭୦ ପ୍ରତିଶତରୁ ଅଧିକ ପୌର ଅଧ୍ୟକ୍ଷ ପଦ ହାତେଇବାକୁ ଯାଉଛି, ହେଲେ ବିରୋଧୀ ଟକ୍କର ଦେଇଥିବା ଦେଖିବାକୁ ମିଳିଛି । ନିକଟରେ ସରିଥିବା ପଞ୍ଚାୟତ ନିର୍ବାଚନରେ ଐତିହାସିକ ସଫଳତା ପାଇଥିଲା ବିଜେଡି । ୩୦ଟି ଯାକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପୋଛି ନେଇଥିଲା ଶାସକ ଦଳ । ତେବେ ପୌର ଫଳାଫଳ ଯାହା ଆସିଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ, ପୌର ନିର୍ବାଚନରେ କିଛିଟା ପରିବର୍ତ୍ତନ ହୋଇଛି ।

ନୂଆପଡ଼ା ଜିଲ୍ଲାରେ କୌଣସି ପୌର ଅଧ୍ୟକ୍ଷ ପଦ ହାତେଇ ପାରିନି ବିଜେଡି । ୩ଟି ଅଧ୍ୟକ୍ଷ ପଦରୁ ବିଜେପି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କୋରାପୁଟରେ ୪ଟି ଅଧ୍ୟକ୍ଷ ପଦରୁ ବିଜେଡି ଗୋଟିଏ, କଂଗ୍ରେସକୁ ୨ଟି ଏବଂ ସ୍ୱାଧୀନକୁ ମିଳିଛି ଗୋଟିଏ ପଦ । ନବରଙ୍ଗପୁର, ମାଲକାନଗିର.ସମ୍ବଲପୁର ଜିଲ୍ଲାରେ ବିଜେଡି ଓ ବିଜେପି ଗୋଟିଏ ଲେଖାଁ ଅଧ୍ୟକ୍ଷ ପଦ ହାତେଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରେ ୨ଟି ଲେଖାଁଏ ଅଧ୍ୟକ୍ଷ ପଦ ବିଜେଡି ଓ ବିଜେପି ଭାଗବାଂଟି ନେଇଛନ୍ତି । ଜଗତସିଂହପୁରରେ କଂଗ୍ରେସ ଗୋଟିଏ ପୌର ଅଧ୍ୟକ୍ଷ ପଦ ହାତେଇଛି ।

୩୦ଟି ଜିଲ୍ଲାରୁ ୧୬ ଜିଲ୍ଲାରେ ବିଜେଡିର ବିଜୟ ପଥରେ ଭାଗ ବସାଇଛନ୍ତି ବିରୋଧୀ । ଅନେକ ସ୍ଥାନରେ ଜୋରଦାର ମୁକାବିଲା ହୋଇଛି । ତେଣୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, ଗାଁ ଭୋଟର ବିଜେଡିକୁ ଯେପରି ସମର୍ଥନ ଅଜାଡି ଦେଇଥିଲେ, ସହରୀ ଭୋଟର ସେପରି କରିନାହାନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବିରୋଧୀ ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି । ଶେଷ ଖବର ସୁଦ୍ଧା ୧୦୮ଟି ପୌରାଧ୍ୟକ୍ଷ ପଦରୁ ବିଜେଡି-୭୫, ବିଜେପି-୧୭, କଂଗ୍ରେସ-୭, ସ୍ୱାଧୀନ-୯ଟି ସ୍ଥାନରେ ଆଗୁଆ କିମ୍ବା ବିଜୟୀ ହୋଇଛନ୍ତି ।