ପୌର ଫଇସଲା : ସବୁ ଆଡେ ବିଜେଡି ଖାତା ଖୋଲିଲା, ନୂଆପଡାରେ ଫେଲ୍ ମାରିଲା ।

439

କନକ ବ୍ୟୁରୋ : ପୌର ନିର୍ବାଚନରେ ବିଜେଡିକୁ ଐତିହାସିକ ସଫଳତା । ୧୦୫ ପୌର ଓ ଏନଏସି ଅଧ୍ୟକ୍ଷ ପାଇଁ ଭୋଟ ଗଣତି ହୋଇଥିବା ବେଳେ ୭୩ଟି ଆସନରେ ବିଜେଡି ବିଜୟୀ ହୋଇଛି । ସେହିଭଳି ବିଜେପି ୧୬, କଂଗ୍ରେସ ୭ ଏବଂ ସ୍ୱାଧୀନ ପ୍ରାର୍ଥୀ ୯ଟି ଆସନରେ ବିଜୟୀ ହୋଇଛନ୍ତି । ବିଜେଡି ୩୦ ଜିଲ୍ଲାରୁ ୨୯ ଜିଲ୍ଲାରେ ଖାତା ଖୋଲିଥିବା ବେଳେ ଗୋଟିଏ ଜିଲ୍ଲାରେ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ ।

ଚଳିତ ପୌର ନିର୍ବାଚନରେ ନୂଆପଡାରେ ବିଜେଡିକୁ ଲାଗିଛି ବଡ ଝଟକା । ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାର ପ୍ରଭାବ ପୌର ନିର୍ବାଚନରେ ଦେଖିବାକୁ ମିଳିନାହିଁ । ନୂଆପଡାର ୩ ଏନଏସିରେ ଦଳ ଲଢିଥିଲେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ । ନୂଆପଡାରେ ଏନଏସିରେ ବିଜେଡି ପ୍ରାର୍ଥୀଙ୍କୁ ମାତ୍ ଦେଇ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ବିଜୟୀ ହୋଇଥିବା ବେଳେ ଖରିଆର ଏନଏସି ଅଧ୍ୟକ୍ଷ ପଦକୁ କବଜା କରିଛି କଂଗ୍ରେସ । ବିଜେଡିକୁ ଏଠାରେ ନିରାଶ ହେବାକୁ ପଡିଥିବା ବେଳେ ଖରିଆର ରୋଡ ଏନଏସିରେ ବିଜେପିର ସୋନିଆ ଜୈନ ବିଜୟ ବାନା ଉଡାଇଛନ୍ତି ।

ସେହିଭଳି ଅନେକ ସ୍ଥାନରେ ବିଜେଡିକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ସମେତ ସ୍ୱାଧୀନ ପ୍ରାର୍ଥୀ । କଳାହାଣ୍ଡିରେ ବିଜେଡିକୁ କଡା ଟକ୍କର ଦେଇଛି ବିଜେପି । ସେହିଭଳି କୋରାପୁଟରେ କଂଗ୍ରେସ ବିଜେଡିକୁ ପଛରେ ପକାଇ ଗୋଟିଏ ଅଧିକ ଅଧ୍ୟକ୍ଷ ପଦ ଅକ୍ତିଆର କରିଛି । ନୟାଗଡରେ ସ୍ୱାଧୀନ ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କ ଠାରୁ ବିଜୟ ଛଡାଇ ନେବା ସହ ୨ଟି ଅଧ୍ୟକ୍ଷ ପଦ ହାତେଇଛନ୍ତି ।