ସାମ୍ନାକୁ ଆସିଲା ମଙ୍ଗଳ ଗ୍ରହର ନୂଆ ନକ୍ସା । ପାହାଡ, ପର୍ବତ ସହ ଦିଶୁଛି ଆଗ୍ନେୟଗିରି । ଜାଣନ୍ତୁ, କିଏ ପ୍ରସ୍ତୁତ କରିଛି ମଙ୍ଗଳ ଗ୍ରହର ଏହି ନକ୍ସା ।

217

କନକ ବ୍ୟୁରୋ: ସାମ୍ନାକୁ ଆସିଲା ମଙ୍ଗଳ ଗ୍ରହର ନକ୍ସା । ଏହି ନୂଆ ନକ୍ସାରେ ମଙ୍ଗଳ ଗ୍ରହର ସମସ୍ତ ଅଞ୍ଚଳ ସ୍ପଷ୍ଟ ଭାବେ ଦେଖାଯାଉଥିବା ଦେଖିବାକୁ ମିଳିଛି । ତେବେ ମଙ୍ଗଳ ଗ୍ରହର ଏହି ନୂଆ ନକ୍ସାକୁ ପ୍ରସ୍ତୁତ କରିଛି ସଂଯୁକ୍ତ ଅରବ ଏମିରେଟସ (ୟୁଏଇ)ର ମାର୍ସ ଅର୍ବିଟର, ଅର୍ଥାତ ହୋପ ମିଶନର ସ୍ପେଶକ୍ରାଫ୍ଟ । କୁହାଯାଉଛି, ଏହି ହାଇ ରିଜୋଲ୍ୟୁସନ୍ ମ୍ୟାପ ମିଳିବା ଦ୍ୱାରା ବୈଜ୍ଞାନିକମାନେ ଅନେକ ପ୍ରକାର ଜ୍ଞାନ ଆହରଣ କରିପାରିବେ । ତା ସହିତ ମଙ୍ଗଳ ଗ୍ରହ ବିଷୟରେ ଅଧ୍ୟୟନ କରିପାରିବେ ।

ମଙ୍ଗଳ ଗ୍ରହର ଏହି ନୂଆ ନକ୍ସାରେ, ମଙ୍ଗଳର କେଉଁ ସ୍ଥାନରେ ପାଣି ଥିଲା, କିମ୍ବା ଏବେ ପାଣି ଅଛି ତାହା ସ୍ପଷ୍ଟ ଭାବେ ଜଣାପଡିବ । ଏହି ନୂଆ ନକ୍ସାକୁ ୟୁଏଇର ସେଣ୍ଟର ଫର୍ ସ୍ପେଶ୍ ସାଇନ୍ସ ଓ ନ୍ୟୁୟର୍କ ୟୁନିଭର୍ସିଟି ଆବୁଧାବି ମିଶି ପ୍ରସ୍ତୁତ କରିଛନ୍ତି । ତେବେ ଏହି ନକ୍ସା ପାଇଁ ହିଁ ୟୁଏଇ ମାର୍ସ ମିଶନ ଡାଟା ପଠାଇଥିଲା ।

ୟୁଏଇର ହୋମ୍ ମିଶନରେ ଷ୍ଟେଟ୍-ଅଫ୍-ଦ-ଆର୍ଟ ଇମର୍ଜିଙ୍ଗ୍ ସିଷ୍ଟମ ରହିଛି । ଏଥିରେ ଏମିରେଟସ୍ ଏକ୍ସପ୍ଲୋରେଶନ୍ ଇମେଜର ଲାଗିଛି । ସଂଯୁକ୍ତ ଆରବ ଏମିରେଟସ୍ ବୈଜ୍ଞାନିକଙ୍କ କହିବା କଥା, ଏହି ନକ୍ସା ଫଳରେ ଯୁବକମାନେ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢିପାରିବେ । ଏହି ନକ୍ସାକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଡିମିତ୍ରା ଅତ୍ରିଙ୍କ କହିବା କଥା, ଏହି ନକ୍ସାକୁ ପ୍ରସ୍ତୁତ କରି ଆମେ ସାରା ବିଶ୍ୱକୁ ଏହାକୁ ଦେଖାଇବାକୁ ଚାହିଁଥିଲୁ । ଏହା ହେଉଛି ମଙ୍ଗଳ ଗ୍ରହର ନୂଆ ଆଟଲାସ୍ , ଯାହାକି ପ୍ରତିଟି ଦେଶର କାମରେ ଆସିବ ।

ଡିମିତ୍ରା ଅତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନୂଆ ନକ୍ସାରୁ ବୈଜ୍ଞାନିକମାନେ ଅନେକ କିଛି ଶିଖିବାକୁ ପାଇବେ । ତାଙ୍କ ଟିମ୍ ପାଖାପାଖି ୩ ହଜାର ଫଟୋକୁ ମିଶାଇ ଏହି ନକ୍ସା ପ୍ରସ୍ତୁତ କରିଛି । ଏହି ସମସ୍ତ ଫଟୋକୁ ବିଶ୍ଲେଷଣ କରିବାକୁ ପାଖାପାଖି ୨ ବର୍ଷ ସମୟ ଲାଗିଥିଲା । ଯାହାକି ମଙ୍ଗଳ ଗ୍ରହର ଗୋଟିଏ ବର୍ଷ ସହିତ ସମାନ । ଏହି ନୂଆ ନକ୍ସାରେ ମଙ୍ଗଳ ଗ୍ରହର ବରଫ ସ୍ଥାନ, ପାହାଡ, ଆଗ୍ନେୟଗିରି, ପ୍ରାଚୀନ ନଦୀ, ହ୍ରଦ ଆଦି ଦେଖିବାକୁ ମିଳୁଛି । କୁହାଯାଉଛି, ପ୍ରାୟ ୩୫୦ କୋଟି ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହରେ ନଦୀ ରହିଥିଲା ।

ଏହି ନକ୍ସା ଫଳରେ ବୈଜ୍ଞାନିକମାନେ ମଙ୍ଗଳଗ୍ରହର ପୂର୍ବ ଜଳବାୟୁ ବିଷୟରେ ବି ଜାଣିପାରିବେ । କୋଟି କୋଟି ବର୍ଷ ତଳେ ମଙ୍ଗଳ ଗ୍ରହର ଜଳବାୟୁ କିପରି ଥିଲା, ତାହା ଏଥିରୁ ଜାଣିହେବ ବୋଲି କୁହାଯାଉଛି । ଏହି ନକ୍ସାରେ ମଙ୍ଗଳ ଗ୍ରହର ପାଣିପାଗ କେଉଁଠି କେମିତି ରହିଛି , ତାହା ଜାଣିହେବ । ତା ସହିତ ମଙ୍ଗଳ ଗ୍ରହରେ କେତେଥର ଉଲକାପିଣ୍ଡ ମାଡ ହେଇଛି ତାହା ମଧ୍ୟ ଜାଣିହେବ ବୋଲି ଏହି ନକ୍ସାକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକ ସୂଚନା ଦେଇଛନ୍ତି ।