ବିଜେପି ହେଉଛି ଗଙ୍ଗା । ପାପରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ଗଙ୍ଗାରେ ବୁଡ ପକାନ୍ତୁ । ଚର୍ଚ୍ଚାରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭାଷଣ…

71

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ହେଉଛି ଗଙ୍ଗା ନଦୀ । ଏଥିରେ ବୁଡ ପକାଇ ସମସ୍ତେ ପାପରୁ ମୁକ୍ତି ପାଆନ୍ତୁ । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ଏଭଳି ଏକ ଭାଷଣ ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ବାମପନ୍ଥୀ ନେତାମାନଙ୍କୁ ବିଜେପିରେ ସାମିଲ ହେବାକୁ ଆହ୍ୱାନ ଦେବା ସହିତ ଏମିତି କହିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ।

ରବିବାର ଦକ୍ଷିଣ ତ୍ରିପୁରାର କାକରାବାନରେ ଏକ ଜନବିଶ୍ୱାସ ରାଲି ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଜନସଭାକୁ ସମ୍ବୋଧିତ କରିଥିଲେ । ତେବେ ଏହି ଜନସଭାରେ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନକୁ ନେଇ ଆଶ୍ୱସ୍ତ ଥିବା କହିବା ସହ ବାମପନ୍ଥୀ ନେତାମାନେ ବିଜେପିରେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସେ କହିଥିଲେ, ମୁଁ ସେହି ଲୋକମାନଙ୍କୁ ଅପିଲ କରୁଛି, ଯେଉଁମାନେ ଏବେ ବି ଷ୍ଟାଲିନ୍ ଆଉ ଲେନିନଙ୍କ ବିଚାରଧାରାରେ ବିଶ୍ୱାସ କରୁଛନ୍ତି । ସେମାନେ ବିଜେପିରେ ସାମିଲ ହୋଇଯାଆନ୍ତୁ । ଭାରତୀୟ ଜନତା ପାର୍ଟି ଗଙ୍ଗା ନଦୀ ଭଳି, ତେଣୁ ଆପଣ ଯଦି ଗଙ୍ଗାରେ ସ୍ନାନ କରୁଛନ୍ତି, ତେବେ ଆପଣଙ୍କର ସବୁ ପାପ ଦୂର ହୋଇଯିବ ବୋଲି ମାଣିକ ଶାହା କହିଥିଲେ ।

ଖାଲି ସେତିକି ନୁହେଁ, ବିରୋଧୀ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଉପରେ ଟାର୍ଗେଟ କରିବା ସହିତ ଗମ୍ଭୀର ଆରୋପ ଲଗାଇଥିଲେ ମାଣିକ ଶାହା । କମ୍ୟୁନିଷ୍ଟ ପାର୍ଟି ଦୀର୍ଘ ସମୟ ଧରି ଲୋକଙ୍କ ଅଧିକାରର ଦମନ କରିବା ସହିତ ତ୍ରିପୁରାରେ ଶାସନ କରିଥିଲା । କମ୍ୟୁନିଷ୍ଟ ଶାସନ ସମୟରେ ଲୋକତନ୍ତ୍ର ଜୀବିତ ନଥିଲା ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ବାମପନ୍ଥୀ ଶାସନ ସମୟରେ ୬୯ ଜଣ ବିରୋଧୀ ଦଳ ନେତାଙ୍କୁ ହତ୍ୟା କରିଦିଆଯାଇଥିଲ । ଯାହାକୁ ନେଇ ଏବେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ।