ରାଷ୍ଟ୍ରପତିଙ୍କ ବିରୋଧରେ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ । ଟିଏମସି ନେତାଙ୍କ ବିରୋଧରେ ତେଜିଲା ଅସନ୍ତୋଷ

143

କନକ ବ୍ୟୁରୋ : ଟିଏମସି ନେତାଙ୍କ ଅଖିଳ ଗିରୀଙ୍କ ବିରୋଧରେ ପଶ୍ଚିମବଙ୍ଗରେ ଶନିବାର ଦେଖିବାକୁ ମିଳିଛି ଜୋରଦାର ପ୍ରତିବାଦ । ମୁର୍ଦ୍ଦାବାଦର ନାରାରେ କମ୍ପି ଉଠିଛି ବିଭିନ୍ନ ସ୍ଥାନ । କେଉଁଠି ନିଆଁରେ ଜଳିଛି ନେତାଙ୍କ କୁଶପୁତଳିକା ଏବଂ ଫଟୋ ତ ପୁଣି କେଉଁଠି ଜୋତା, ଚପଲ, କାଳି ମାଡ କରୁଛନ୍ତି ପଶ୍ଚିମବଙ୍ଗ ପ୍ରଦେଶ ବିଜେପିକର୍ମୀ । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଜେପି କରୁଛି ଜୋରଦାର ପ୍ରଦର୍ଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଅଖିଳ ଗିରୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ବିରୋଧ ବଢିବାରେ ଲାଗିଛି । ସାରା ଦେଶରୁ ଏନେଇ ପ୍ରତିକ୍ରିୟା ଆସିଥିବା ବେଳେ ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ମମତା ବାନାର୍ଜୀଙ୍କ ସରକାରଙ୍କୁ ବିରୋଧ କରିବା ସହ ମନ୍ତ୍ରୀ ଅଖିଳ ଗିରୀ ବିରୋଧରେ ନନ୍ଦିଗ୍ରାମ ଥାନାରେ ଲିଖିତ ଅଭିଯୋଗ କରିଛି ପଶ୍ଚିମବଙ୍ଗ ବିଜେପି । ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ଅଭିଯୋଗ କରି ତୁରନ୍ତ ମନ୍ତ୍ରୀ ଅଖିଳ ଗିରିଙ୍କୁ ଗିରଫ କରିବାକୁ ଦଳ ଦାବି କରିଛି ।

ରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଳ ଗରୀ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାଷ୍ଟ୍ରପତିଙ୍କ ଚେହେରା ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । କଟାକ୍ଷ କରି କହିଛନ୍ତି, ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ କରୁଛୁ, କିନ୍ତୁ ରାଷ୍ଟ୍ରପତି ଦେଖିବାକୁ କେମିତିକା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଟିଏମସି ଏବଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି କହିଛି ମନ୍ତ୍ରୀଙ୍କ ମନ୍ତବ୍ୟ ଘୋର ନିନ୍ଦନୀୟା ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଗିରଫ କରାଯାଉଛି ।

ସେପଟେ ବିବାଦ ତେଜୁଥିବା ଦେଖି ଅଖିଳ ଗୀରି ସାମ୍ନାକୁ ଆସିଛନ୍ତି ଓ ନିଜ ବୟାନ ପାଇଁ ଅନୁତପ୍ତ ବୋଲି କହିଛନ୍ତି । ଆପତିଜନ ମନ୍ତବ୍ୟ ପାଇଁ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରିଛନ୍ତି । କିଛି ଦିନ ପୂର୍ବରୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଘଟଣାକୁ ନେଇ କଂଗ୍ରେସ ନେତା ବିବାଦରେ ଛନ୍ଦି ହେବା ପରେ କ୍ଷମା ମାଗିଥିଲେ ।