୯୦ ବର୍ଷ ପୂର୍ବେ ଆଜିର ଦିନରେ ଦିଲ୍ଲୀ ପାଇଥିଲା ଦେଶର ରାଜଧାନୀ ମାନ୍ୟତା । ଆସନ୍ତୁ ଜାଣିବା କେମିତି ଥିଲା ରାଜଧାନୀର ରୂପରେଖ

140

କନକ ବ୍ୟୁରୋ : ଫେବୃଆରୀ ୧୩ ତାରିଖକୁ ସାରା ବିଶ୍ୱ ଭାଲେଟାଇନ୍ ଡେ ର ପୂର୍ବଦିନ ବା କିସ୍ ଡେ ଭାବେ ପାଳନ କରୁଛି । ହେଲେ ଦିଲ୍ଲୀବାସୀଙ୍କ ପାଇଁ ଏହି ଦିନ କିସ୍ ଡେ ଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି । କାରଣ ୯୦ ବର୍ଷ ପୂର୍ବେ ଆଜିର ଦିନରେ ଦିଲ୍ଲୀ ଦେଶର ରାଜଧାନୀ ଭାବେ ମାନ୍ୟତା ପାଇଥିଲା । ତାହା ପୂର୍ବରୁ ଇଂରେଜ ମାନେ କୋଲକତାକୁ ଦେଶର ରାଜଧାନୀ ଭାବେ ପ୍ରସ୍ତୁତ କରିଥିଲେ । ଦିଲ୍ଲୀକୁ ରାଜଧାନୀ ବୋଲି ୧୧ ଡିସେମ୍ବର ୧୯୧୧ ମସିହାରେ ଜଜ୍ ପଞ୍ଚମ ଘୋଷଣା କରିଥିଲେ । ମାତ୍ର ଫେବୃଆରୀ ୧୩ ତାରିଖ ୧୯୩୧ ମସିହାରେ ଦିଲ୍ଲୀକୁ ରାଜଧାନୀର ମାନ୍ୟତା ମିଳିଥିଲା ।

୧୯୧୧ ମସିହା ଅଗଷ୍ଟ ମାସରେ ଭାଇସରାୟ ଲର୍ଡ ହାର୍ଡିଙ୍ଗ୍ ଙ୍କ ଦ୍ୱାରା ଏକ ଚିଠି ଲଣ୍ଡନ ପଠାଯାଇଥିଲା । ଯେଉଁଥିରେ କି କୋଲକତା ନୁହେଁ ଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ପ୍ରସ୍ତୁତ କରିବାକୁ ଜୋର୍ ଦିଆଯାଇଥିଲା । ହେଲେ  ୧୯୩୧ ମସିହା ଫେବୃଆରୀ ୧୩ ତାରିଖରେ ସେ ସମୟର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେରୱିନ ଦିଲ୍ଲୀକୁ ଦେଶର ରାଜଧାନୀ ଭାବେ ଉଦଘାଟନ କରିଥିଲେ ।

ବ୍ରିଟିସ ସ୍ଥପତି ସାର ଏଡୱିନ ଲୁଟିୟସ ଓ ସାର ହର୍ବଟ୍ ବେକରଙ୍କୁ  ଦିଲ୍ଲୀ ଡିଜାଇନ କାମର ଠିକା ଦିଆଯାଇଥିଲା । ସାର ଏଡୱିନ ୪ ବର୍ଷ ମଧ୍ୟରେ ଦିଲ୍ଲୀର ଡିଜାଇନ କାମ ସାରିବାକୁ କଥା ଦେଇଥିଲେ ବି ପ୍ରଥମ ବିଶ୍ୱଯୁଦ୍ଧ କାରଣରୁ ଏହା ସମ୍ଭବ ହୋଇପାରି ନଥିଲା ।

କୋଲକତା ବଦଳରେ ଦିଲ୍ଲୀକୁ ଦେଶର ରାଜଧାନୀ କରିବା ପଛରେ ଏମିତି କିଛି କାରଣ ଥିଲା । ପ୍ରଥମରୁ ବ୍ରିଟିସ ଶାସନ ପୂର୍ବରୁ କିଛି ବଡ ସାମ୍ରାଜ୍ୟ ଦିଲ୍ଲୀରେ ଶାସନ ଚଳାଇଥିଲା । ତେଣୁ ବ୍ରିଟିସ ମାନେ ଅନୁମାନ କରୁଥିଲେ କି ଦିଲ୍ଲୀରୁ ସଠିକ୍ ଭାବେ ଭାରତକୁ ଶାସନ କରାଯାଇ ପାରିବ । ଅନ୍ୟ କିଛି ସୂଚନାଦାତାଙ୍କ କହିବା ମୁତାବକ ବଙ୍ଗଳା ଭାଗ ଭାଗ ହେବା ଫଳରେ କୋଲକତାରେ ହିଂସା ଦେଖିବାକୁ ମିଳିଥିଲା । ଏହାସହ ପ୍ରଥମେ ପଶ୍ଚିମବଙ୍ଗରୁ ସ୍ୱରାଜ ଆନ୍ଦୋଳନ ଆରମ୍ଭ ହେଉଥିବାରୁ ଏହାକୁ ନଜରରେ ରଖି ବ୍ରିଟିସ ସରକାର କୋଲକତାରୁ ରାଜଧାନୀ ଉଠାଇ ନେଇ ଦିଲ୍ଲୀରେ ବସାଇବାକୁ ଚିନ୍ତା କରିଥିଲେ ।

ସ୍ଥପତି ଲୁଟିୟନ ଓ ବେକର ଦିଲ୍ଲୀ ସହରକୁ ଡିଜାଇନ କରିବା ପାଇଁ ଶାହାଜାହାନାବାଦ ସହରର ଦକ୍ଷିଣ ଅଞ୍ଚଳକୁ ଚିହ୍ନଟ କରିଥିଲେ । ସ୍ୱାଧିନତା ପରେ ୧୯୫୬ ମସିହାରେ ଦିଲ୍ଲୀକୁ କେନ୍ଦ୍ର ଶାସିତ ପ୍ରଦେଶର ମାନ୍ୟତା ମିଳିଥିଲା । ଏହାସହ ୧୯୯୧ ମସିହାରେ ୬୯ ତମ ସଂଶୋଧନ ବେଳେ ଦିଲ୍ଲୀକୁ ରାଷ୍ଟ୍ରୀୟ ରାଜଧାନୀର ମାନ୍ୟତା ମିଳିଥିଲା ।