ମହାନଦୀରେ ସ୍ୱଳ୍ପ ବନ୍ୟା ଆଶଙ୍କା, ଖୋଲିଲା ହୀରାକୁଦର ୨୪ ଗେଟ

93

କନକ ବ୍ୟୁରୋ: ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା । ଯଦି ଉପର ମୁଣ୍ଡରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ମଧ୍ୟ ଏହି ଭଳି ବର୍ଷା ଜାରି ରୁହେ ତେବେ ମହାନଦୀରେ ସ୍ୱଳ୍ପଧରଣର ବନ୍ୟା ସୃଷ୍ଟି ହୋଇପାରେ । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ସେହିଭଳି ଆସନ୍ତାକାଲି ସକାଳ ୮ ଟା ବେଳେ ମୁଣ୍ଡଳୀଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବା ନେଇ ସୂଚନା ମିଳିଛି ।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଛତିଶଗଡ଼ରେ ପ୍ରବଳବର୍ଷା ହେଉଥିବାରୁ ତାଙ୍କର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପପକାଉଛନ୍ତି । ମାତ୍ର ଆମେ କହିଛୁ ସ୍ଥିତି ଦେଖି ହୀରାକୁଦ ଗେଟ ଖୋଲାଯିବ । ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୨୪ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଏହା ବଢ଼ିପାରେ । ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ନଜର ରଖାଯାଇଛି । ସରକାରଙ୍କ ପକ୍ଷରୁ ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟରେ ରଖାଯାଇଛି । ଦୁର୍ବଳ ନଦୀ ବନ୍ଧ ଉପରେ କଡାକଡିଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।