ମାଲକାନଗିରି ବଣ୍ଡାଘାଟିରେ ଆଜି ବି ଜଳ ଯନ୍ତ୍ରଣା ଭୋଗୁଛନ୍ତି ଆଦିମ ଜନଜାତି। ଚୂଆରୁ ପାଣି ସଂଗ୍ରହ କରୁଛନ୍ତି ବଣ୍ଡା ମହିଳା।

65

କନକ ବ୍ୟୁରୋ: ଚୂଆ ପାଣି ପିଉଛନ୍ତି ବଣ୍ଡାଘାଟି ଅଧିବାସୀ । କିନ୍ତୁ ସରକାରୀ ରିପୋର୍ଟରେ ଜିଲ୍ଲାପାଳଙ୍କୁ ଭୂଲ ତଥ୍ୟ ଦେଉଛନ୍ତି ବିଡିଓ । ଲେଖାଯାଇଛି କି ପ୍ରକଳ୍ପ ଜଳ ପିଉଛନ୍ତି ବଣ୍ଡା ଅଧିବାସୀ । ହେଲେ ବାସ୍ତବ ସ୍ଥିତି କହୁଛି, ବଣ୍ଡା ପାହାଡରେ ଲୋକଙ୍କୁ ମିଳୁନି ପିଇବା ପାଣି । ବର୍ଷ ବର୍ଷ ଧରି ଜଳ ଯନ୍ତ୍ରଣା ଭୋଗୁଛନ୍ତି ଆଦିମଜନଜାତି । ପାଣି ଟୋପେ ପାଇଁ ମାଇଲ ମାଇଲ ବାଟ ଚାଲୁଛନ୍ତି । ବର୍ଷା ଦିନେ ବି ଚୁଆ ପାଣି ଓ ଝରଣା ପାଣି ଉପରେ ଭରସା କରୁଛନ୍ତି ।

ମାଲକାନଗିରି ଖଇରପୁଟ ବ୍ଲକର ବଣ୍ଡାଘାଟିରୁ ଜଳକଷ୍ଟର ଏହି ଦୃଶ୍ୟ ଆସିଛି । ଏହି ଦୃଶ୍ୟକୁ ଦେଖିବା ପରେ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାପାହାଡରେ ଏବେ ବିଶୁଦ୍ଧ ଜଳଯୋଗାଣ ବ୍ୟବସ୍ଥାର ଲୋଡା ପଡିଛି । ଦେଖନ୍ତୁ କିଭଳି ଭାବେ ଜଙ୍ଗଲ ରାସ୍ତାରେ ପାହାଡ ଉପର ଝରରୁ ପିଇବା ପାଣି ପାଇଁ ସଂଗ୍ରହ କରୁଛନ୍ତି ଆଦିମ ଜନଜାତିର ମଣିଷ । ଏଦୃଶ୍ୟ ହେଉଛି ମୁଦୁଲିପଡା ପଞ୍ଚାୟତ ଅଧିନ କିର୍ଷାନୀପଡା ଗାଁର । ଗାଁରେ ୩ ଗୋଟି ନଳକୂପ ଅଛି ହେଲେ ପାଣି ବାହାରୁନି । ବିକଳ୍ପ ବ୍ୟବସ୍ଥା ନଥିବାରୁ ଗାଁ ଠାରୁ ୩ କିଲୋମିଟର ଦୂର ଝରଣା ପାଣିକୁ ସଂଗ୍ରହ କରିବାକୁ ଯାଉଛନ୍ତି ବଣ୍ଡା ମହିଳା । କିନ୍ତୁ ସରକାରୀ ରିପୋର୍ଟରେ କୁହାଯାଇଛି, ପ୍ରକଳ୍ପ ଜଳ ପିଉଛନ୍ତି ବଣ୍ଡା ଅଧିବାସୀ ।

ବଣ୍ଡାଘାଟିରେ ଜଳ ସମସ୍ୟା ନଥିବା ଏକ ଚିଠିରେ ଜିଲ୍ଲାପାଳଙ୍କୁ ଲେଖିଛନ୍ତି ବିଡିଓ । ଖଇରପୁଟ ବିଡିଓ, ମାଲକାନଗିରି ଜିଲ୍ଲାପାଳଙ୍କ ଦେଇଥିବା ଏଭଳି ରିପୋର୍ଟକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ପ୍ରଶାସନ ଦେଇଥିବା ରିପୋର୍ଟରେ ଲେଖା ହୋଇଛି, ଗତବର୍ଷ ଘାଟିର ପାନୀୟଜଳ ସୁବିଧା ଲାଗି ୧୪ଟି ଗାଁରେ ନଳକୂପ ଖନନ ହୋଇଥିଲା । ଚଳିତ ବର୍ଷ ଆଉ ୮ଟି ନଲକୂପ ଖନନ ହୋଇଛି । ହେଲେ ଖନନ ହୋଇଥିବା ନଳକୂପରୁ ପାଣି ବାହାରୁନାହିଁ । ଏଭଳି ସ୍ଥିତିରେ ବିଡିଓଙ୍କ ଏହି ଚିଠିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ବଣ୍ଡା ମଣିଷ ପ୍ରକଳ୍ପ ଜଳ ପିଉଥିବା ନେଇ ବିଡିଓ କେମିତି ରିପୋର୍ଟ ଦେଲେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।