ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜମିଲାଣି ପାଣି। ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ।

89

କନକ ବ୍ୟୁରୋ: ଆସନ୍ତାକାଲି ଆଉ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହା ଆସନ୍ତାକାଲି ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦୁଇଦିନ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା ୧୪ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତା ୧୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଳକନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଉପରମୁଣ୍ଡାରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ପାଣି ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମରେ ୨୦ଟି ଗେଟ୍ ଖୋଲାଯାଇଛି । ଏହାଫଳରେ ଆସନ୍ତାକାଲି ମୁଣ୍ଡଳୀ ଠାରେ ଅଧିକ ଜଳ ପ୍ରବାହିତ ହେବ । ସେହିପରି ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ନିକଟରେ ବଢ଼ୁଛି । ସେପଟେ ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଂକେତ ୫ ଦଶମିକ ୫୦ ମିଟର ଥିବାବେଳେ ଏବେ ୬ ଦଶମିକ ୨୫ ମିଟରେ ଉପରେ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ପାଉଛି । ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡ଼ା, ତିତ୍ରଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ଲାଗି ରହିଛି । ତେବେ ଏନେଇ ସତର୍କ ନଜର ରଖାଯାଇଛି । ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ବର୍ତମାନ ସୁଦ୍ଧା ବନ୍ୟାର ଆଶଙ୍କା ନାହିଁ ବୋଲି ଫ୍ଲଡ ସେଲର ମୁଖ୍ୟଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି କହିଛନ୍ତି ।