ଉପରମୁଣ୍ଡରେ ପ୍ରବଳ ବର୍ଷା: ଛତିଶଗଡ଼ର କୋର୍ବା, ଜାଞ୍ଜଗିରି ଜିଲ୍ଲାରୁ ଆସିଲା ଜଳପ୍ରଳୟର ଚିତ୍ର

144

କନକ ବ୍ୟୁରୋ: ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । କେବଳ କେତେକ ବଡ ଗଛକୁ ଛାଡି ଦେଲେ ଆଉ କିଛି ଦେଖାଯାଉନି । ଛତିଶଗଡର କୋର୍ବା, ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଭିତରକୁ ବହୁତ ପାଣି ପ୍ରବେଶ କରୁଛି । ଆଉ ଉଛୁଳୁଛି ମହାନଦୀ ।

ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡର ଚନ୍ଦ୍ରପୁର। ଗାଁ ଦାଣ୍ଡରେ ମହାନଦୀ ପାଣି ଲହଡି ଭାଂଗୁଛି । ଘର ଭିତରେ ପଶି ଯାଇଛି ବନ୍ୟା ଜଳ । ପୋଲ ଉପରେ ବି ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । .. ହଜାର ହଜାର ଲୋକ ପାଣି ଭିତରେ ଫଶି ରହିଛନ୍ତି । ରାସ୍ତାଘାଟ ବୁଡି ଯାଇଥିବାରୁ ଡଙ୍ଗା ହିଁ ଏକମାତ୍ର ଭରଷା ପାଲଟିଛି ।

ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଓ ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ବଡ ବିପଦ ଆଶଙ୍କା କରି ମହାନଦୀରେ ଥିବା ଗେଟ୍ ଗୁଡିକୁ ଖୋଲି ଦେଇଛି ଛତିଶଗଡ ଜଳ ସମ୍ପଦ ବିଭାଗ । ହେଲେ ହୀରାକୁଦ ଜଳଭଣ୍ଡାର କର୍ତୁପକ୍ଷ ଧିରେ ଧିରେ ପାଣି ଛାଡୁଥିବାରୁ ଉପରମୁଣ୍ଡ ଫୁଲି ଚାଲିଛି ।

ଛତିଶଗଡ ସରକାର ଖରାଦିନେ ପାଣି ନଛାଡି ମହାନଦୀକୁ ଶୁଖିଲା ପକାଉ ଥିବାବେଳେ ଏବେ ଅଧିକ ପାଣି ହେବାରୁ ଗେଟ ଗୁଡିକ ଖୋଲି ଦେଇଛନ୍ତି । କେବଳ ଏତିକି ନୁହେଁ ମହାନଦୀରେ ଆସୁଥିବା ପାଣିକୁ ହୀରାକୁଦ ଜଳଭଣ୍ଡାର କର୍ତୁପକ୍ଷ ନରଖି ଛାଡି ଦେବା ପାଇଁ ଚାପ ପକାଉଛନ୍ତିି । ଅଧିକ ଗେଟ୍ ଖୋଲିବାକୁ କହୁଛନ୍ତି । ଏଥିପାଇଁ ଛତିଶଗଡ ଜଳସମ୍ପଦ କର୍ତୁପକ୍ଷ ଓଡିଶା ଅଧିକାରୀଙ୍କୁ ବାରମ୍ବାର ଫୋନ କରୁଛନ୍ତି ।

ଖରାଦିନେ ପାଣି ଛାଡୁନଥିବା ଛତିଶଗଡ ସରକାର ଏବେ ଅଧିକ ପାଣି ଛାଡି ଓଡିଶା ପାଇଁ ବନ୍ୟା ପରସ୍ଥିତି ସୃଷ୍ଟି କରିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟ ପ୍ରକାଶ ପାଇଛି । ଛତିଶଗଡ଼ର ସ୍ୱାର୍ଥପର ନୀତି ଯୋଗୁଁ ଓଡିଶା ବାରମ୍ବାର କ୍ଷତି ସହୁଛି । ଆଉ ଏବେ ଯଦି ଛତିଶଗଡ ଅଧିକ ପାଣି ଛାଡେ ତାହେଲେ ଓଡିଶାରେ ବଡ ବନ୍ୟା ଆସିବାର ଆଶଙ୍କା ରହିଛି ।