ଘନୀଭୂତ ହେଉଛି ଲଘୁଚାପ: ଦୁଇ ଦିନ ପାଇଁ ରେଡ଼ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

227

କନକ ବ୍ୟୁରୋ: ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ପୂରା ଓଡ଼ିଶାକୁ ଘେରିରହିଛି ମେଘଖଣ୍ଡ । ଆଉ ପ୍ରଭାବରେ ଦିନତମାମ ଲାଗିରହିଛି ବର୍ଷା । ଆସନ୍ତାକାଲି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବର୍ଷାର ପ୍ରକୋପ ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା କରିଛି ପାଣିପାଗ ବିଭାଗ । ଦୁଇଦିନ ପାଇଁ ସତର୍କ କରାଯାଇଛି ।

ଆସନ୍ତାକାଲି ଅର୍ଥାତ ୧୪ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ବାଦଲଫଟା ବର୍ଷା ବା ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ସେହିଭଳି ୧୫ ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି ।

ସେହିପରି ୧୫ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୦ଟି ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଝଡ଼ ପବନ ଆଶଙ୍କା ମଧ୍ୟ ରହିଛି । ଏହି ସମୟରେ ଘଂଟା ପ୍ରତି ପବନର ବେଗ ୪୫ରୁ ୫୫ କିଲୋମିଟର ରହିପାରେ । ଯାହାର ଝଟକା ୬୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ସମୁଦ୍ର ଆଶାନ୍ତ ରହୁଥିବାରୁ ୧୫ ତାରଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି ।

ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ
ତଳିଆ ଅଂଚଳ ଓ ଚାଷଜମି ଜଳମଗ୍ନ ହେବା ସମ୍ଭାବନା
ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ହେବା ଆଶଙ୍କା ରହିଛି
ସହରର ତଳି ଅଂଚଳରେ ପଶିବ ପାଣି
ବର୍ଷା ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ
ବଢ଼ିବ ବିଭିନ୍ନ ନଦୀର ଜଳସ୍ତର
ପ୍ରଭାବିତ ଅଂଚଳରେ ଯାତାୟାତ ବାରଣ
ଆସନ୍ତା ୪ ଦିନ ପାଇଁ ଚାଷଜମିରେ ସାର ଓ କୀଟନାଶକ ନପକାଇବାକୁ ପରାମର୍ଶ ଦିଆଯାଇଛି ।