ଫୁଲୁଛି ମହାନଦୀ, ଆସୁଛି ବନ୍ୟା: ହୀରାକୁଦରୁ ୩୦ ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣିି

114

ହୀରାକୁଦ ଜଳଭଣ୍ଡାର କର୍ତୁପକ୍ଷ ୩୦ଟି ଗେଟ ଖୋଲିଦେବା ପରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଏହି ଆକଳନ ଚିନ୍ତାକୁ ବଢ଼ାଇ ଦେଇଛି । ହୀରାକୁଦର ଜଳ ପହଁଚିବା ପରେ ମହାନଦୀର ଜଳସ୍ତର ବଢ଼ି ବଢ଼ି ଚାଲିଛି । ନରାଜ ନିକଟରେ ଦିନ ୧୨ଟାରେ ଜଳସ୍ତର ୨୪ ଦଶମିକ ୧୯ମିଟର ଥିବାବେଳେ ଅପରାହ୍ନ ୩ଟା ବେଳକୁ ଏହା ବୃଦ୍ଧି ପାଇ ୨୪ ଦଶମିକ ୪୮ମିଟରରେ ପହଁଚି ଯାଇଛି । କାଲି ସକାଳ ସୁଧା ଆଉ ପାଣି ପହଁଚିଥିଲେ ବନ୍ୟା ସ୍ଥିତି ଆହୁରି ବୃଦ୍ଧି ପାଇବ ।

ମହାନଦୀର ଜଳସ୍ତର ବଢ଼ିବା ପରେ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଆଉ ମହାନଦୀର ଅବବାହିକାରେ ଥିବା ୧୦ରୁ ଅଧିକ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି । ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷକରି ଏହି ସବୁ ଜିଲ୍ଲାର ନଦୀ କୁଳିଆ ଅଂଚଳ ଓ ତଳି ଅଂଚଳରେ ବନ୍ୟା ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି ।

କେବଳ ମହାନଦୀ ନୁହେଁ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ି ବଢ଼ି ଚାଲିଛି । ବୈତରଣୀର ବିପଦ ସଂକେତ ୧୭ ଦଶମିକ ୮୩ ମିଟର ରହିଥିବାବେଳେ ଆଖୁଆପଦା ନିକଟରେ ଜଳସ୍ତର ୧୮ଦଶମିକ ୦୮ ମିଟର ଉପରେ ପ୍ରବାହିତ ହେଉଛି । ଯାହା ଫଳରେ ଭଦ୍ରକର ଧାମନଗର, ଭଣ୍ଡାରୀପୋଖରୀ ଓ ଯାଜପୁର ଜିଲ୍ଳାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଜଳକାର ଜଳସ୍ତର ମଥାନୀ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନିରେ ବିପଦ ସଂକେତ ୫ଦଶମିକ ୫୦ମିଟର ଥିବାବାଳେ ଜଳସ୍ତର ୬ଦଶମିକ ୩୦ ମିଟର ରହିଛି । ଜଳସ୍ତର ବଢ଼ୁଥିବାରୁ ତଳିଆ ଅଂଚଳରେ ଥିବା ଗାଁ ଗୁଡିକରେ ପଶି ଯାଇଛି ପାଣି । ଆଗକୁ ଆହରୁି ବର୍ଷା ହେବାର ଆଶଙ୍କା ଥିବାରୁ ଚିନ୍ତାରେ ପଡିଛନ୍ତି ନଦୀ କୂଳିଆ ଲୋକେ । ଉପରମୁଣ୍ଡରୁ ପାଣି ଆସୁଥିବାବେଳେ ଲଘୁଚାପ ଜନିତ ପ୍ରବଳ ବର୍ଷା ସମ୍ଭାବନା ବନ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି ।