ନେଟୱାର୍କ ନାହିଁ ତ, ଭୋଟ୍ ନାହିଁ । ମୋବାଇଲ ଟାୱାର ଓ ନେଟୱାର୍କ ସଂଯୋଗ ଦାବିରେ ପଦ୍ମପୁର ଜମରତଳା ଗାଁ ଲୋକଙ୍କ ଭୋଟ ବର୍ଜନ ଚେତାବନୀ ।

86

କନକ ବ୍ୟୁରୋ: ଭୋଟ ପାଇଁ ପଦ୍ମପୁର ଉଠୁଛି ପଡୁଛି । କିନ୍ତୁ ଏହି ନିର୍ବାଚନମଣ୍ଡଳୀରେ ଏଭଳି ଏକ ଗାଁ ଅଛି ଯେଉଁଠାରେ ମୋବାଇଲ ନେଟୱର୍କ ଏବେ ବି ସମସ୍ୟା ହୋଇ ରହିଛି । ଫୋନଟିଏ କରିବା ପାଇଁ ଗାଁଠୁ ୨କିମି ଦୂର ଯିବାକୁ ପଡୁଛି । ଫୋନରେ କଥା ଦି ପଦ ହେବା ପାଇଁ ଜାମରତଳା ଗାଁ ଲୋକଙ୍କୁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି । ତେଣୁ ନେଟୱାର୍କ ସମସ୍ୟାର ସମାଧାନ ଦାବିରେ ଗାଁ ଲୋକେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ।

  • ନେଟୱାର୍କ ନାହିଁ ତ ଭୋଟ ନାହିଁ 
  • ମୋବାଇଲ ନେଟୱାର୍କ ପାଇଁ ଡହଲ ବିକଳ 

ମୋବାଇଲ ଅଛି, ନେଟୱାର୍କ ନାହିଁ । ଫୋନଟିଏ କରିବା ପାଇଁ ଗାଁଠୁ ୨କିମି ଦୂର ଯିବାକୁ ପଡୁଛି । ଫୋନରେ କଥା ଦି ପଦ ହେବା ପାଇଁ ଜାମରତଳା ଗାଁ ଲୋକଙ୍କୁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି । ମୋବାଇଲ ନେଟୱାର୍କ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ।

ଦୃଶ୍ୟ ନଂ-୧ 

ଗାଁ ଭିତରେ କିଛି ଲୋକ ରୁଣ୍ଡ ହୋଇ ମୋବାଇଲରେ ନେଟୱାର୍କ ଖୋଜୁଛନ୍ତି । କଣ ଗୋଟେ ଜରୁରୀ କାମ ପାଇଁ ଫୋନ କରିବା ଆବଶ୍ୟକ ହେଲେ ନେଟୱାର୍କ ପାଇଁ ଲୋକେ ଏମିତି ଘାଣ୍ଟି ହେଉଛନ୍ତି ।

ଦୃଶ୍ୟ ନଂ -୨ 

ଜମରତଳା ଗାଁରେ ମୋବାଇଲ ନେଟୱାର୍କ ଆସୁନାହିଁ । ତେଣୁ ଗାଁର କିଛି ଯୁବକ ଗଛ ଉପରେ ଚଢି ନେଟୱାର୍କ ରେଞ୍ଜ ଖୋଜୁଛନ୍ତି । ଗଛ ଉପରେ କେତେବେଳେ ନେଟୱାର୍କ ଧରୁଛି, କେତେ ବେଳେ ନାହିଁ ।

ଦୃଶ୍ୟ ନଂ-୩ 

କିଛି ଲୋକ ଗାଁ ପାଖ ପାହାଡ ଉପରକୁ ଚାଲି ଆସିଛନ୍ତି । ଫୋନ କରିବା ପାଇଁ ଗାଁ ଲୋକଙ୍କୁ ପାହାଡ ଚଢି ଏକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଆସିବାକୁ ପଡୁଛି ।

ଦୃଶ୍ୟ ନଂ-୪ 

ନେଟୱାର୍କ ନଥିବାରୁ ଏକ ଲମ୍ବା ବାଉଁଶରେ ମୋବାଇଲକୁ ରଖି ଉପରକୁ ଟେକୁଛନ୍ତି ଜାମରତଳାର କିଛି ଯୁବକ । ଉଦ୍ଦେଶ୍ୟ କେମିତି ହେଲେ ନେଟୱାର୍କ ଆସିଯାଉ । ଫୋନରେ କଥା ଦିପଦ ହେବାକୁ ଗାଁ ଯୁବକଙ୍କୁ ଲାଠି ଟେକିବାକୁ ପଡୁଛି ।

ଦୃଶ୍ୟ-ନଂ ୫ 

ଛାତ ଉପରେ ଦୁଇ ଯୁବକ ମୋବାଇଲରେ କଥା ହେଉଛନ୍ତି । କଥା ହେବା ପାଇଁ ଘର ଛାତ ଉପରକୁ ଆସିବାକୁ ପଡୁଛି । ହେଲେ ଛାତ ଉପରେ ମଧ୍ୟ ସବୁ ବେଳେ ନେଟୱାର୍କ ଧରେନି ବୋଲି କହିଛନ୍ତି ଜମରତଳା ବାସିନ୍ଦା ।

ଜମରତଳା ଗାଁରେ ନେଟୱାର୍କ ସମସ୍ୟା ସମାଧାନ କରାନଗଲେ ପଦ୍ମପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ଭୋଟ ବର୍ଜନ ଧମକ ଦେଇଥିଲେ । ସେହି ସମୟରେ ପ୍ରଶାସନ ମୋବାଇଲ ନେଟୱାର୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଭୁଲିଗଲା ।  ଜାମରତଳା ଗାଁରେ ନେଟୱାର୍କ ନଥିବାରୁ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଡାକିବା, ପିଲାଙ୍କ ଅନଲାଇନ ପାଠ ପଢା, ଭତ୍ତା ପାଇଁ ଫିଙ୍ଗରପ୍ରିଂଟ ଅପଲୋଡ କରିବା ହେଉ କି ସରକାରୀ ସହାୟତା ପାଇଁ ଅନଲାଇନ ପଞ୍ଜିକରଣ, ସବୁଥିରେ ଲୋକେ ହଇରାଣ ହେଉଛନ୍ତି ।