ସତ୍ୟଭାମାପୁରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ, ଆଶ୍ରମ ଯାଇ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା ।

123

କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ସତ୍ୟଭାମାପୁରରେ କିଛି ସମୟ ବିତାଇବା ପରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁରର କୁଳିଆରେ ପହଞ୍ଚିବେ । ସେଠାରେ ନ୍ୟାୟ ସମାବେଶରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଆଜି ଓଡ଼ିଆଙ୍କ ପାଇଁ ସ୍ୱାଭିମାନ ଦିବସ, ତେଣୁ ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତା କଥା କହିପାରନ୍ତି ରାହୁଲ ଗାନ୍ଧୀ । ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଲୋକସଭା ଓ ବିଧାନସଭାର ପ୍ରାର୍ଥୀ, ନେତା, କର୍ମୀ, ସମର୍ଥକ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଆଜି ରାହୁଲ ଗାନ୍ଧୀ ଦିନ ୧୧ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ପିସିସି ସଭାପତି ଓ ପ୍ରଭାରୀ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ ଜଣାଇଥିଲେ ।