ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ନେଲେ ଆଶୀର୍ବାଦ । ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ, ଭେଟଘାଟକୁ ନେଇ ସମ୍ବଲପୁରରେ ବଢିଲା ଚର୍ଚ୍ଚା ।

704

କନକ ବ୍ୟୁରୋ : ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସୌଜନ୍ୟମୂଳକ ସାକ୍ଷାତ ସହ ତାଙ୍କ ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଧର୍ମେନ୍ଦ୍ର । ହେଲେ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଓ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭେଟଘାଟ୍ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରାସେଶ୍ୱରୀ । ଦଳ ତାଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ୍ ନଦେବାରୁ ଦଳ ଛାଡିଥିଲେ । ବିଜେଡି ଛାଡିଥିଲେ ବି ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ । ରାଜନୈତିକ ଦଳରେ ସାମିଲ ହେବେ ନାହିଁ, ସମାଜସେବା କରିବେ ବୋଲି କହିଥିଲେ ରାସେଶ୍ୱରୀ ।

କେବଳ ଏତିକି ନୁହେଁ ନା ନନେଇ ସମ୍ବଲପୁର ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ରୋହିତ ପୂଜାରୀଙ୍କ ଉପରେ ବର୍ଷିଥିଲେ ରାସେଶ୍ୱରୀ । ସମ୍ବଲପୁର ବିଧାନସଭା ଆସନରେ ବାହାର ନେତାଙ୍କୁ ଆଣି ଲଢିବାକୁ କାହିଁକି ସୁଯୋଗ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ରାସେଶ୍ୱରୀ । ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଦଳ ଛାଡିଥିବା କହିଥିଲେ ରାସେଶ୍ୱରୀ । ଦଳ ଛାଡିଥିଲେ ମଧ୍ୟ ଅନ୍ୟ ଦଳରୁ ପ୍ରାର୍ଥୀ ହେବିନି କି ନିର୍ବାଚନ ଲଢିବିନି ବୋଲି ସ୍ପଷ୍ଟ କରିଥିଲେ ରାସେଶ୍ୱରୀ । କିନ୍ତୁ ଏହା ଭିତରେ ରାସେଶ୍ୱରୀଙ୍କୁ ଧର୍ମେନ୍ଦ୍ର ଭେଟିବା ପରେ ନାନାଦି ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ର-ପ୍ରଣବ ପ୍ରକାଶଙ୍କ ଲଢେଇ ଭିତରେ  ରାସେଶ୍ୱରୀ ଦଳ ଛାଡିବା ବିଜେଡିକୁ ବଡ ଝଟକା ଦେଇଥିଲା । ତେବେ ଏହି ଭେଟଘାଟ ଆଗକୁ କେଉଁ ରାଜନୈତିକ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।