ପଦ୍ମପୁରରେ ମହଙ୍ଗା ପଡ଼ିଲା ନିର୍ବାଚନ ଆଚରଣ ବିଧି ଉଲଂଘନ । ୩ ଅଧ୍ୟାପକ ନିଲମ୍ବିତ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ନିର୍ବାଚନ ଅଧିକାରୀ

410

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ଜୋରଦାର ହୋଇଛି ପ୍ରଚାର । ରାଜନୈତକ ଛକାପଞ୍ଝା ବି ବଢିଛି । ଆଉ ଏହାରି ଭିତରେ ମନ୍ତ୍ରୀଙ୍କ ବୈଠକକୁ ଯାଇ ନିଲମ୍ବିତ ହୋଇଛନ୍ତି ୩ ଅଧ୍ୟାପକ ।  ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ବୈଠକକୁ ଏମାନେ ଯାଇଥିଲେ । ତେବେ ଏମାନେ ନିୟମ ଭାଙ୍ଗିଥିବା ଅଭିଯୋଗ କରିଥିଲା ବିଜେପି । ଆଉ ତଦନ୍ତ ପରେ  ୩ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି । ହେଲେ ଉଚ୍ଚଶିକ୍ଷାମନ୍ତ୍ରୀ ରାହିତ ପୂଜାରୀଙ୍କ ଉପରେ କେବେ  କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ପ୍ରଶ୍ନ କରିଛି ବିଜେପି ।

ନଭେମ୍ବର ୧୯ ତାରିଖରେ ପଦ୍ମପୁରରେ ସରକାରୀ ସ୍କୁଲ ଓ କଲେଜର ଅଧ୍ୟାପକ. ପ୍ରଧ୍ୟାପକ ଓ ପ୍ରିନ୍ସିପାଲଙ୍କ ସହ  ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କ ବୈଠକ ହୋଇଥିଲା । ତେବେ ଏହି ବୈଠକ ହୋଇଥିଲା ପଦ୍ମପୁର ଉପନିର୍ବାଚନ ପାଇଁ । ଆଉ ଏହି ବୈଠକରେ ଥିଲେ…

  • କୃଷ୍ଣମୋହନ ପଣ୍ଡା, ପଦ୍ମପୁର ଅଞ୍ଚଳ କଲେଜର ଇତିହାସ ଅଧ୍ୟାପକ
  • ବିନୟରଞ୍ଜନ ପଣ୍ଡା , ମାଣ୍ଡୋଶିଳ ଡିଗ୍ରୀ କଲେଜର ଇନଚାର୍ଜ ଅଧ୍ୟକ୍ଷ 
  • ସୁଧୀର କୁମାର ରଥ, ରାଜନୀତି ବିଜ୍ଞାନ ଅଧ୍ୟାପକ, ଦଭା ଉଚ୍ଚମାଧ୍ୟମିକ ସ୍କୁଲ

ଅଭିଯୋଗ ହୋଇଛି,  ସରକାରୀ ଚାକିରିରେ ଥାଇ ଏହି ୩ ଜଣ ନିୟମ ବିରୋଧ କାମ କରିଥିଲେ  । ଆଉ  ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । ବରଗଡ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ପରେ ୩ ଜଣଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବିଜେପି କହିଛି, ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ।

୩ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବି ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଦଳ କହିଛି, ତାରକା ପ୍ରଚାରକ ଥାଇ ନିୟମ ଭାଙ୍ଗିଛନ୍ତି ମନ୍ତ୍ରୀ ।  ତେଣୁ ତାଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ?

ପଦ୍ମପୁର ନିର୍ବାଚନ ପାଇଁ ପ୍ରଚାର ଯେତିକି ସରଗରମ ହେଉଛି, ନୂଆ ନୂଆ ବିବାଦ ବି ସାମ୍ନାକୁ ଆସୁଛି । ଏହାକୁ ନେଇ ରାଜନୈତିକ ଛାକପଞ୍ଝା ବି ବଢିବାରେ ଲାଗିଛି । ବୁଧବାର ଦିନ ବି ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ କାଳୀଚରଣ ଦୁବେଙ୍କ ନାଁରେ ନୂଆ ଅଭିଯୋଗ ଆଣିଛି ବିଜେପି । ସେ ଫେସବୁକ ପେଜରେ  ବିଜେଡି ନେତାଙ୍କ ଫଟୋ ରଖି ପ୍ରଚାର କରୁଛନ୍ତି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ କରିଛି ମୁଖ୍ୟ ବିରୋଧୀ ଦଳ ।