ରୁଚିକା ଆତ୍ମହତ୍ୟା ମାମଲା : ପୋଲିସ କହିଲା, ଆତ୍ମହତ୍ୟା ପାଇଁ ବାଧ୍ୟ କରିଛନ୍ତି ହଷ୍ଟେଲ ଅନ୍ତେବାସୀ

237

କନକ ବ୍ୟୁରୋ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପାଇଁ ଦାୟୀ ସିନିୟରଙ୍କୁ ଖୋଜୁଛି କମିଶନରେଟ ପୋଲିସ । ଏଥିପାଇଁ ଆଜି କଲେଜ ଛାତ୍ରୀ ନିବାସରେ ପହଁଚି ପୋଲିସ ଟିମ୍ ଛାନଭିନ୍ କରିଛନ୍ତି । ୩୦ ସିନିୟର ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି । ସୁପରିଟେଂଟ, ୱେର୍ଡେନ, ଆସିଷ୍ଟାଂଟ, ଫ୍ଲୋର ଇନଚାଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛି ପୋଲିସ । ୩ଟି ଟିମ୍ ଗଠନ କରି ତଦନ୍ତ କରୁଛି ପୁଲିସ । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଦୋଷୀ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଏସିପି ।
ଭୁବନେଶ୍ୱର ଜୋନ-ଫୋରର ଏସିପି ପରେଶ ରାଉତ କହିଛନ୍ତି, ହଷ୍ଟେଲର କିଛି ଅନ୍ତେବାସୀ ରୁଚିକାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ । କିଛି ଦିନ ହେଲା ଡିପ୍ରେସନରେ ଥିଲେ ରୁଚିକା । ସୂଚନା ଅନୁସାରେ ୧୩୪ ଜଣ ସିନିୟରଙ୍କୁ ପୋଲିସ ପଚରାଉଚୁରା କରିବ । ୩ ସିନିୟର ଛାତ୍ରୀଙ୍କ ରାଗିଂ ଯୋଗୁଁ ସେ ଚରମ ନିଷ୍ପତି ନେବାକୁ ବାଧ୍ୟ ହେଉଥିବା ଆତ୍ମହତ୍ୟା କରିବା ପୂର୍ବରୁ ରୁଚିକା ତାଙ୍କ ସୁଇସାଇଡ୍ ନୋଟରେ ଲେଖିଯାଇଛନ୍ତି ।
ତେବେ ସେହି ୩ଜଣ ସିନିୟର କିଏ, କେବେଠୁ ରାଗିଂ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା ଭଳି ନିଷ୍ପତି ନେଲେ ସେନେଇ ପଚରାଉଚରା ଜାରି ରଖିଛି ତଦନ୍ତକାରୀ ଟିମ୍ ।
ସେପଟେ, ଝିଅର ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରୁଚିକାଙ୍କ ବାପା । କହିଛନ୍ତି, ଝିଅ ଅନେକ ସ୍ୱପ୍ନ ନେଇ ବଡ କଲେଜରେ ପାଠ ପଢ଼ିବାକୁ ଯାଇଥିଲା । ହେଲେ, ସିନିୟରଙ୍କ ନିର୍ଯାତନା ଯୋଗୁଁ ସହିନପାରି ଏଭଳି ଚରମ ନିଷ୍ପତି ନେଇଛି । ଯେଉଁମାନେ ଝିଅ ମୃତ୍ୟୁ ପାଇଁ ଦାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।