ଗଛମୂଳେ ଧୋନୀଙ୍କ ଦେଶୀ ଚିକିତ୍ସା। କଡକନାଥ କୁକୁଡା, ପ୍ରାକୃତିକ ଚାଷରେ ବ୍ୟସ୍ତ ମାହିଙ୍କ ଫଟୋ ଭାଇରାଲ।

346

କନକ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି ଧୋନୀ । ତେବେ ଅବସର ପରେ ବି ତାଙ୍କ ଲୋକପ୍ରିୟତା କମିନାହିଁ । ନିକଟରେ ସେ ଆଇପିଏଲ ୧୫ ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଭାର ମଧ୍ୟ ତୁଲାଇସାରିଛନ୍ତି ।

୪୦ ବର୍ଷୀୟ ଧୋନୀ ବର୍ତ୍ତମାନ ନିଜର ଆଣ୍ଠୁ ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି । ଏହାର ଚିକିତ୍ସା ପାଇଁ ସେ ଦେଶୀ ଉପାୟ ଆପଣାଉଛନ୍ତି । ସେ ରାଞ୍ଚିଠାରୁ ୮୦ କିଲୋମିଟ ଦୂର ଲାପୁଙ୍ଗର ଗଳଗଳି ଧାମରେ ଗଛ ତଳେ ବସି ବୈଦ୍ୟଙ୍କ ଚିକିତ୍ସା ନେଉଛନ୍ତି । ବୈଦ୍ୟ ବନ୍ଧନ ସିଂହ ଖେରବାର ଜଙ୍ଗଲରୁ ମିଳୁଥିବା ଜଡିବୁଟିକୁ ବ୍ୟବହାର କରି ପାରମ୍ପରିକ ଭାବେ ଲୋକଙ୍କର ଉପଚାର କରୁଛନ୍ତି ।

ସବୁଠାରୁ ଖାସ କଥା ହେଉଛି ବୈଦ୍ୟ ଚିକିତ୍ସା ପାଇଁ ମାତ୍ର ୨୦ ଟଙ୍କା ଫି ନେଉଛନ୍ତି । ଧୋନୀଙ୍କ ଠାରୁ ସେ ମଧ୍ୟ ସେହି ସମାନ ଟଙ୍କା ଫି ବାବଦରେ ନେଇଛନ୍ତି । ଚାରିଥର ଧୋନି ଏଠାକୁ ଆସି ଔଷଧ ନେଇସାରିଛନ୍ତି । ନିଜ ବାପାମାଆଙ୍କ ପାଇଁ ମଧ୍ୟ ସେ ଏଠାରୁ ଔଷଧ ନେଇଥାନ୍ତି ।

ଧୋନୀ ନିଜେ ପ୍ରାକୃତିକ ଉପାୟରେ ଚାଷ ଠାରୁ ନେଇ କୁକୁଡା ଚାଷ କରିଛନ୍ତି । କୁକୁଡା ଚାଷରେ ସେ କଡକନାଥ କୁକୁଡା ମଧ୍ୟ ପାଳନ କରିଛନ୍ତି । ଏହି ପ୍ରଜାତିର କୁକୁଡା ଚାଷରୁ ଆପଣ ଅନେକ ଲାଭ ପାଇପାରିବେ । ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ କଡକନାଥ କୁକୁଡାକୁ ଲୋକେ ଅନେକ ସଂଖ୍ୟାରେ ଚାଷ କରିଛନ୍ତି । ଗୋଟିଏ ଗୋଟିଏ କୁକୁଡା ଛୁଆର ଦାମ ୨ ଶହରୁ ୩ ଶହ ଟଙ୍କା ହୋଇଥାଏ । ଏହାଭିତରେ ମଧ୍ୟ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି । କୋଲେଷ୍ଟ୍ରୋଲ ମାତ୍ରା ମଧ୍ୟ କଡକନାଥ କୁକୁଡାର ମାଂସରେ କମ ଥାଏ ତେଣୁ ଏହାକୁ ଲୋକେ ଖାଇବା ପାଇଁ ପସନ୍ଦ କରିଥାନ୍ତି ।

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଧୋନୀ ଆଇପିଏଲର ସଫଳତମ ଅଧିନାୟକ । ତାଙ୍କ ଅଧିନାୟକତ୍ୱ ସମୟରେ ଚେନ୍ନାଇ ୪ ଥର ଆଇପିଏଲ ଟ୍ରଫି ହାତେଇଛି । ସେ ଅବସର ନେବା ପରେ ମଧ୍ୟ ଆଇପିଏଲ ଖେଳିବା ଜାରିରଖିଛନ୍ତିା ଆଗାମୀ ବର୍ଷ ମଧ୍ୟ ସେ ଚେନ୍ନାଇର ନେତୃତ୍ୱ ନେବେ । ୪୦ ବର୍ଷୀୟ ଧୋନୀ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ଭାରତ ପାଇଁ ସେ ୩୫୦ ଦିନିକିଆ, ୯୮ଟି ଟି-୨୦ ଏବଂ ୯୦ଟି ଟେଷ୍ଟ ମ୍ୟାଚ ଖେଳଛନ୍ତି । ମୋଟ ୧୭ ହଜାର ୨୬୬ ରନ ସ୍କୋର କରିଥିବା ବେଳେ ୧୦୫ ଅର୍ଦ୍ଧଶତକ, ୧୬ ଶତକ ସାମିଲ ରହିଛି । ତାଙ୍କ ଅଧିନାୟକତ୍ୱ ବେଳେ ଆଇସିସିର ତିନୋଟି ଟ୍ରଫି ଭାରତ ହାସଲ କରିଛି ।