ଏକାଠି ପାଞ୍ଚଟି ଜୁଇରେ ଜଳିଲେ ମାହାଙ୍ଗା ଗଣହତ୍ୟାର ଶିକାର ବାପା,ମା ଓ ୩ ପିଲା । ସାମାନ୍ୟ ଜମିବାଡି ବିବାଦରୁ ଦାଦା ବନିଯାଇଥିଲା ଦାନବ

156

କନକ ବ୍ୟୁରୋ: ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ମାହାଙ୍ଗା ଗଣହତ୍ୟା ସମୟର କରୁଣ କାହାଣୀ ସାମ୍ନାକୁ ଆସିଛି । ବଡ ଭାଇ ଓ ଭାଉଜକୁ ହତ୍ୟା କରିବା ପରେ ଶିବ ପ୍ରସାଦ ସାହୁଙ୍କ ଗୋଡ ଧରି ଛାଡି ଦେବାକୁ ନେହୁରା ହୋଇଥିଲେ ପୁତୁରା ଓ ଝିଆରୀ । ହେଲେ କିଛି ଶୁଣିନଥିଲା ଦାନବ ପାଲଟି ଯାଇଥିବା କକେଇ, ଅତି ନିର୍ମମ ଭାବେ ତିନି ଛୁଆଙ୍କୁ କଟୁରୀ ହାଣି ହତ୍ୟା କରିଥିଲା । ସେପଟେ ଆଜି ବାପା ମାଆ ଓ ତିନି ଛୁଆଙ୍କ ଜୁଇ ଏକା ସଙ୍ଗରେ ଜଳିଛି ।

ନିୟତିର ବିଚିତ୍ର ବିଚାର । ଦୁନିଆକୁ ଆଗ ପଛ ହୋଇ ଆସିଥିଲେ । ହେଲେ, ଏକା ସାଙ୍ଗରେ ଜଳିଛି ମାହାଙ୍ଗା କୁସୁପରରେ ଗଣହତ୍ୟାର ଶିକାର ବାପା, ମା’, ଝିଅ ଓ ୨ ପୁଅଙ୍କ ଜୁଇ । ଯାହାର ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି କଷ୍ଟଦାୟକ ।

  • କାହିଁକି ବଡ ଭାଇର ପରିବାରକୁ ସଫା କରିଦେଲା ସାନ ଭାଇ?
  • କାହିଁକି ଶତ୍ରୁତା ନେଲା ଏତେ ଭୟଙ୍କର ରୂପ?

ମାହାଙ୍ଗାର ଗଣହତ୍ୟା ଘଟଣା ସାରାରାଜ୍ୟକୁ ସ୍ତବ୍ଧ କରିଦେଇଥିବାବେଳେ, ସାମନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ । ଲୋକଙ୍କ କହିବା ଅନୁସାରେ, ଅନେକ ଦିନ ଧରି ଦୁଇ ଭାଇ ଭିତରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା । ସେମାନେ ଦୁଇଟି ପରିବାର ଗୋଟିଏ ଘରେ ରହୁଥିଲେ । ଘରେ ଗୋଟିଏ ବାଥରୁମ୍ ଓ ଟଏଲେଟ ଥିଲା । ଯାହାକୁ ନେଇ ଦୁଇ ପରିବାର ଭିତରେ ଝଗଡା ଲାଗିରହୁଥିଲା । ମୃତ ଅଲେଖ ସାହୁ କୁଆଡେ ଟଏଲେଟକୁ ତାଲା ଲଗାଇଦେଉଥିଲେ । ଏଭଳି ଘଟଣାରେ ରାଗିଯାଉଥିଲେ ଶିବପ୍ରସାଦ । ଆଉ ସୋମବାର ରାତିରେ ଏହାର କରୁଣ ପରିଣତି ସାମ୍ନାକୁ ଆସିଲା ।

  • ଦାଦା ବନି ଯାଇଥିଲେ ଦାନବ
  • ଗୁହାରି ପରେ ବି କରିଥିଲେ ହତ୍ୟା

ରାତି ପ୍ରାୟ ୨ଟାରୁ ୩ ଟା ଭିତରେ ବଡଭାଇ, ଭାଉଜ, ଓ ପିଲାମାନେ ଶୋଇଥିବା ରୁମ୍ ଭିତରେ ପଶିଥିଲେ ସାନଭାଇ ଶିବପ୍ରସାଦ ସାହୁ । ହାତରେ କଟୁରୀ ଥିଲା । ରାତିରେ ଏମାନେ ନିଘୋଡ ନିଦରେ ଶୋଇଥିଲେ, ଆଉ ଏହା ଶିବପ୍ରସାଦଙ୍କ ପାଇଁ ସୁଯୋଗ ଥିଲା । ଲୋକଙ୍କ କହିବାନୁସାରେ ଆଗ ବଡଭାଇ, ତାପରେ ଭାଉଜଙ୍କୁ ହାଣି ପକାଇଥିଲେ ଶିବପ୍ରସାଦ । ଏତିକି ଭିତରେ ତିନିଜଣ ପିଲା ନିଦରୁ ଉଠିଯାଇଥିଲେ । ପାଖରେ ବାପା-ମାର ଏଭଳି ଅବସ୍ଥା ଦେଖି ବିଚଳିତ ହୋଇପଡିଥିଲେ । ଏହାପରେ କୁଆଡେ ଦୁଇଜଣ ପୁତୁରା ଓ ଝିଆରୀ ଶିବପ୍ରସାଦଙ୍କ ଗୋଡ ଧରିପକାଇଥିଲେ ଆଉ ନେହୁରା ହୋଇ କହିଥିଲେ ସେମାନଙ୍କୁ ଛାଡିଦିଅନ୍ତୁ । କିନ୍ତୁ ଶିବପ୍ରସାଦ ସେତେବେଳେ ସଇତାନ୍ ପାଲଟିଯାଇଥିଲେ । ଆଉ ଜଣଙ୍କ ପରେ ଜଣଙ୍କୁ ହାଣି ହତ୍ୟା କରିଥିଲା । ମାତ୍ର କିଛି ସମୟ ଭିତରେ ପୁରା ପରିବାର ସଫା ହୋଇଯାଇଥିଲା ।

ହତ୍ୟାକାଣ୍ଡରେ ବ୍ୟବାହାର ହୋଇଥିବା କଟୁରୀକୁ ଜବତ କରିଛି ପୁଲିସ । କଟୁରୀରେ ଲାଗିଥିବା ରକ୍ତକୁ ଏବେ ଲ୍ୟାବରେ ଟେଷ୍ଟ କରାଯିବ ବୋଲି ଏସପି ଯୁଗଳ କିଶୋର ବନୋଥ ସୂଚନା ଦେଇଛନ୍ତି । ଏଥିସହ ଅଭିଯୁକ୍ତର ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି । ମୋବାଇଲ କଲ ରେକର୍ଡକୁ ଯାଞ୍ଚ କରିବା ପରେ ହତ୍ୟା ଘଟଣାରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଏସପି ଯୁଗଳ କିଶୋର ବନୋଥ ସୂଚନା ଦେଇଛନ୍ତି । ତେବେ ପାଞ୍ଚ ଜଣଙ୍କୁ ହତ୍ୟା କରିବା ପରେ ଭୋରରୁ ଶିବ ପ୍ରସାଦ ସାହୁ ପାଖରେ ଥିବା ନଦୀକୁ ଗାଧୋଇବା ପାଇଁ ଚାଲିଯାଇଥିଲେ । ଆଉ ଗାଧୋଇବା ପରେ ଗାଁରେ ଆସି ଲୋକଙ୍କ ସହ ସ୍ୱାଭାବିକ ଭାବେ କଥା ହୋଇଥିଲେ । ସେତେବେଳେ ଯାଏ କିଛି ଜଣାପଡିନଥିଲା । ଆଉ ଭିଡିଓ କରି ପଠାଇବା ପରେ ଘଟଣା ପଦାକୁ ଆସିଥିଲା ।