ଯାଜପୁରରୁ ଆସିଲା ଲିଙ୍ଗଗତ ଭେଦଭାବର ଅଭାବନୀୟ ଖବର । ତୃତୀୟ ଲିଙ୍ଗୀ ସନ୍ତାନକୁ ଡାକ୍ତରଖାନାରେ ଛାଡି ପଳାଇଲେ ବାପା ଓ ପରିବାର

321

କନକ ବ୍ୟୁରୋ: ଜଣେ ମହିଳା ଏକ ଘରୋଇ ହସ୍ପିଟାଲରେ, ଏକ ନବଜାତ ଶିଶୁକୁ ଜନ୍ମ ଦେବା ପରେ, ସେହି ପରିବାର ଉପରେ ସତେ ଯେମିତି ସମସ୍ୟାର ପାହାଡ ଲଦି ହୋଇଯାଇଛି । କାରଣ ଜନ୍ମ ହେବା ପରେ ପରେ ଡାକ୍ତର କହିଦେଲେ ଯେ ଶିଶୁଟି ପୁଅ ନୁହେଁ ଝିଅ ନୁହେଁ, ସେ ତୃତୀୟ ଲିଙ୍ଗୀ । ବାସ୍ ଏତିକି କଥା ପରେ ପୁରା ପରିବାର ଦୋହଲି ଯାଇଛି । ବାପା ଓ ପୂରା ଶାଶୁଘର ଲୋକେ ନବଜାତକୁ ଘରକୁ ନେବା ପାଇଁ ରାଜି ହେଉ ନାହାନ୍ତି । ସେମାନେ ଶିଶୁକୁ ଛାଡି ଚାଲି ଯାଇଛନ୍ତି । ମାଆଙ୍କୁ ବି ଶିଶୁକୁ ଛାଡି ଚାଲିଯିବା ପାଇଁ ବାଧ୍ୟ କରିଥିଲେ ।

  • ନବଜାତ ଶିଶୁକୁ ଛାଡ଼ି ଦେଇ ଚାଲିଗଲେ ବାପା
  • ଛୁଆକୁ ଛାଡ଼ି ଦେବା ପାଇଁ ମା’ ଉପରେ ଚାପ
  • ଡାକ୍ତର କହିଲେ ନବଜାତ ଶିଶୁ ତୃତୀୟ ଲିଙ୍ଗୀ

ଯାଜପୁରର ଏକ ଘରୋଇ ହସପିଟାଲରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୧୦ ତାରିଖରେ ଏଠାରେ ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା, କିନ୍ତୁ ଶିଶୁଟିର ଯୌନାଙ୍ଗ ସଂପୂର୍ଣ୍ଣ ବିକଶିତ ହୋଇନଥିଲା । ତେଣୁ ଡାକ୍ତର କହିଥିଲେ ଶିଶୁଟି ପୁଅ ନୁହେଁ କି ଝିଅ ନୁହେଁ, ତୃତୀୟ ଲିଙ୍ଗୀ ହୋଇଛି ।

ଡାକ୍ତର ଏତିକି କହିବା ପରେ ଶିଶୁ ପ୍ରତି ମାୟା ମମତା ଛଡ଼ାଇ ଦେଇଛି ପରିବାର । ଶିଶୁକୁ ଗ୍ରହଣ କରିବାକୁ ବାପା ରାଜି ହୋଇନାହାନ୍ତି । ବୋହୂ ଓ ଶିଶୁକୁ ହସପିଟାଲରେ ଛାଡ଼ି ଚାଲି ଯାଇଛନ୍ତି ଶାଶୁଘର ଲୋକ । କେବଳ ଏତିକି ନୁହେଁ, ଅଲୋଡ଼ା ହୋଇ ପଡିଥିବା କଅଁଳା ଶିଶୁକୁ ଅନାଥ ଆଶ୍ରମରେ ଛାଡ଼ି ଦେବା ପାଇଁ ଜନ୍ମଦାତ୍ରୀ ମାଆଙ୍କୁ ମଧ୍ୟ ବାଧ୍ୟ କରିଛନ୍ତି । କିନ୍ତୁ ମାଆର ମମତା ଛୁଆକୁ ଛାଡିବା ପାଇଁ ରାଜି ହୋଇନାହିଁ ।

ଶିଶୁଟି ଜନ୍ମ ହେବା ପରେ ସତେ ଯେମିତି ଏହି ପରିବାର ଉପରେ ସମସ୍ୟାର ପାହାଡ଼ ଲଦି ହୋଇପଡ଼ିଛି । ଜନ୍ମ ହେବା ପରେ ପରେ ବାପା ଶିଶୁଟିକୁ ଛାଡ଼ିଦେଇ ଘରକୁ ଚାଲି ଯାଇଛନ୍ତି । ଆଉ ମାଆକୁ ଧମକ ଦେଇ ଯାଇଛନ୍ତି, ସେ ଶିଶୁକୁ ଧରି ଘରେ ପଶି ପାରିବେନି । ପୂରା ଶାଶୂ ଘର ଲୋକ ଶିଶୁ ଓ ମାଆକୁ ଛାଡ଼ି ଚାଲି ଯାଇଛନ୍ତି ।

  • ନବଜାତ ଶିଶୁକୁ କଟକ ରେଫର କଲେ ଡାକ୍ତର
  • ବଡ଼ ଡାକ୍ତରଖାନାରେ ଲିଙ୍ଗ ନିରୂପଣ ପାଇଁ ପରାମର୍ଶ

ଯାଜପୁର ଘରୋଇ ହସପିଟାଲର ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି । ତେବେ ଶିଶୁଟି ଏବେ ସଂପୂର୍ଣ୍ଣ ସୁସ୍ଥ ଅଛି ବୋଲି କହିଛନ୍ତି ଡାକ୍ତର, କିନ୍ତୁ ଆଗକୁ କଣ ଜଟିଳ ପରିସ୍ଥିତି ସୃଷ୍ଟି ହୋଇପାରେ, ସେଥିପାଇଁ ମଧ୍ୟ କଟକ ବଡ଼ ଡାକ୍ତରଖାନାର ଡାକ୍ତରଙ୍କ ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ସେପଟେ ଏହି ଖବର ପାଇ ହସପିଟାଲରେ ପହଞ୍ଚିିଛନ୍ତି ଜିଲ୍ଲା କିନ୍ନର ସଂଘର ସଭାପତି ।

  • କ’ଣ ପାପ କରିଛି ନବଜାତ ଶିଶୁ?
  • ଜନ୍ମ ହେଉ ହେଉ କାହିଁକି ହେବ ଅଲୋଡ଼ା?

ଶିଶୁଟି କେମିତି ଜନ୍ମ ହେବ, ତାର ଲିଙ୍ଗ କଣ ହେବ, ତାହା ମଣିଷ ନିଷ୍ପତି ନେଇପାରିବ ନାହିଁ । ତେଣୁ ନବଜାତକୁ ଅଲୋଡ଼ା କରି ପରିତ୍ୟାଗ କରିବାର ଅଧିକାର କାହାର ନାହିଁ ।