ଶିକ୍ଷୟତ୍ରୀ ମମିତା ମେହେରଙ୍କ ନ୍ୟାୟ ଦେବାକୁ ପୁଣି କଳାକୋଟ୍ ପିନ୍ଧିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଭର୍ଚୁଆଲ ମୋଡରେ ହାଇକୋର୍ଟରେ ରଖିଲେ ନିଜ ପକ୍ଷ

805

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ପାଇଁ ଓକିଲାତିକୁ ଓହ୍ଲାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦରକାର ହେଲେ କଳାକୋଟ୍ ପିନ୍ଧିବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ହାଇକୋର୍ଟରେ ମମିତାଙ୍କୁ ନ୍ୟାୟ ପାଇଁ ଖଣ୍ଡପୀଠ ଆଗରେ ପକ୍ଷ ରଖି ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବାବେଳେ ନରସିଂହ ମିଶ୍ର ଏକ ପ୍ରତିଶ୍ରୁତି ଦେଇଥିଲେ । ତୁରେଇକେଲା ଥାନା ଅନ୍ତର୍ଗତ ଝରନି ଗାଁରେ ମମିତାଙ୍କ ପରିବାରକୁ ଭେଟି ମାମଲା ଲଢିବା ପାଇଁ କହିଥିଲେ । ଏବେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ପରିଚାଳନା ବେଳେ ସେହି ପ୍ରତିଶ୍ରୃତିକୁ ରକ୍ଷା କରିଛନ୍ତି କଂଗ୍ରେସ ନେତା ।

  • କଳା କୋଟ୍ ପିନ୍ଧିଲେ ନରସିଂହ ମିଶ୍ର
  • ଆଠ ବର୍ଷ ପରେ କଲେ ଓକିଲାତି

ମମିତା ମେହେର ହତ୍ୟା ମାମଲା ଶୁଣାଣିରେ ଭିଡିଓ କନଫେରନ୍ସିରେ ସାମିଲ ହୋଇ ମାମଲାର ପରିଚାଳନା କରିଛନ୍ତି ନରସିଂହ । ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାପରତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆର.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ନିଜ ମତ ରଖିଥିଲେ ଏହି କଂଗ୍ରେସ ନେତା ନରସିଂହ ମିଶ୍ର । ଆଉ କହିଥିଲେ…

  • ହତ୍ୟା ପଛରେ ଷଡଯନ୍ତ୍ର ରହିଛି
  • ମାମଲା ରୁଜୁ ଓ ପରବର୍ତ୍ତୀ ତଦନ୍ତରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି
  • ଘଟଣାରେ ପ୍ରକୃତ ଅଭିଯୁକ୍ତକୁ ଖସିଯିବାର ରାସ୍ତା ବାହାର କରାଯାଇଛି
  • ଘଟଣା ଆଧାରରେ ମାମଲା ରୁଜୁ କରାଯାଇନାହିଁ
  • ମୁଖ୍ୟ ଷଡଯନ୍ତ୍ରକାରୀ ଆଇନର ପରଦା ପଛରେ ଲୁଚକାଳି ଖେଳୁଛି ।
  • ହତ୍ୟା ପଛରେ ହୋଇଥିବା ଷଡଯନ୍ତ୍ର ନେଇ ତଦନ୍ତ କରାଯାଇନାହିଁ
  • ମାମଲାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି

ତେବେ ମମିତା ମେହେର ହତ୍ୟା ମାମଲାରେ ତଳକୋର୍ଟରେ ଚାର୍ଜସିଟ ଦାଖଲ ହୋଇସାରିଛି । ଆଉ ମୁଖ୍ୟ ଅଭିଯୁକ୍ତ ବି ଗିରଫ ହୋଇସାରିଛନ୍ତି । ତେବେ ତଦନ୍ତକୁ ନେଇ ଅସନ୍ତୁ୍ଷ୍ଟ ଥିଲେ ତଳକୋର୍ଟରେ ଏନେଇ ଆବେଦନ କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ତେବେ ମମିତା ମେହେର ଅତ୍ୟନ୍ତ ସଙ୍ଗୀନ ଅପରାଧ ଶ୍ରେଣୀର ହୋଇଥିବାରୁ କଣ୍ଟାବାଞ୍ଝି ଅତିରିକ୍ତ ଜିଲ୍ଲା ଦୌରାଜଜରେ ଏହାର ଶୁଣାଣି ଚାଲିଛି । ଆଉ ତଳକୋର୍ଟରେ ଆବେଦନ ପାଇଁ ହାଇକୋର୍ଟଙ୍କ ଟିପ୍ପଣୀ ପରେ ଏ ସମ୍ପର୍କିତ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି ।