ପରପାରିକୁ ଚାଲିଗଲେ କମଳ ରାଇଜର ରାଜକୁମାର । ପଞ୍ଚଭୂତରେ ବିଲୀନ ହେଲା ସଙ୍ଗୀତଜ୍ଞ ପ୍ରଫୁଲ କରଙ୍କ ପାର୍ଥିବ ଶରୀର

116

କନକ ବ୍ୟୁରୋ: ଅଫେରା ରାଇଜରେ ଲକ୍ଷେ ରାଜାର ମଉଡ଼ମଣି ତଥା ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଅଗଣିତ ଶ୍ରୋତାଙ୍କ ହୃଦୟକୁ ଜିତିଥିବା ଓଡିଶା ସଙ୍ଗୀତ ଜଗତର ଏହି ବେତାଜ ବାଦଶାହ । ବଡ ପୁଅ ମହାଦୀପ କର ଦେଇଛନ୍ତି ମୁଖାଗ୍ନି । ତେବେ ଦୀର୍ଘ ୬୦ ବର୍ଷ ଧରି ଓଡିଶା ସଙ୍ଗୀତ ସହିତ ଜଡିତ ଥିବା ଏହି କାଳଜୟୀ ସଙ୍ଗୀତଜ୍ଞ ସିନା ଚାଲିଯାଇଛନ୍ତି ହେଲେ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ସେ ଅମର ହୋଇ ରହିବେ ।

ସାରା ଓଡ଼ିଶାକୁ ସଂଗୀତ ମୁର୍ଚ୍ଛନାରେ ହଜାଇ ଦେଇଥିବା ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ନିଶବ୍ଦରେ ଆରପାରିକୁ ଚାଲିଯାଇଛନ୍ତି । ସ୍ମୃତିଚାରଣ କରିବା ବେଳେ ତାଙ୍କରି କାଳଜୟୀ ଗୀତ ଗାଇ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ତାଙ୍କର ବନ୍ଧୁ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ପ୍ରଫୁଲ୍ଲ କରଙ୍କ ଗୀତରେ ଯେତିକି ଦାର୍ଶନିକ ତତ୍ତ୍ୱ ରହିଥିଲା, ସେତିକି ରହିଥିଲା ଲାଳିତ୍ୟ । କମଳ ଦେଶର ଏହି ରାଜକୁମାର କାଳକୁ ଜୟ କରିଥିଲେ । ତାଙ୍କର ଗୀତରେ କେବଳ ଦର୍ଶନ ନଥିଲା, ପ୍ରତି ଗୀତରେ ଓଡ଼ିଆ ମାଟିର ବାସ୍ନା । ଗୀତରେ ଥିଲା ଶାସ୍ତ୍ରୀୟତା, ଗୀତରେ ଥିଲା ମାଦକତା । ଭଜନ ହେଉ କି ଦେଶାତ୍ମକ ଗୀତ, ରୋମାଣ୍ଟିକ ଗୀତ ହେଉ କି ଜୀବନ ତତ୍ତ୍ୱ, ସବୁ ପ୍ରକାର ଗୀତକୁ ଜୀବନ୍ତ କରିବା କଳା ରହିଥିଲା ତାଙ୍କ ନିକଟରେ । ସବୁବର୍ଗର ଲୋକଙ୍କୁ ବାନ୍ଧି ରଖିପାରୁଥିଲେ ସେ ।

ପ୍ରଫୁଲ୍ଲ କରଙ୍କ ସହ ଓଡ଼ିଆ ସଂଗୀତ ଜଗତର ସ୍ୱର୍ଣ୍ଣିମ ଯୁଗର ଅବସାନ ହୋଇଯାଇଛି । ଓଡ଼ିଆ ସଂଗୀତର ଏହି ଯୁଗପୁରୁଷଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରି ଦେଉଛନ୍ତି ଅଗଣିତ ପ୍ରଶଂସକ । ତେବେ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଏକଧାରାରେ ଥିଲେ ସଂଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର ଓ ସ୍ତମ୍ଭକାର ।