ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ପୋଲିସ କବଜାରେ ଥିବା ଯୁବକଙ୍କ ମୃତ୍ୟୁ ପରେ ଅଭିଯୋଗ ଆଣିଲେ ପତ୍ନୀ

90

କନକ ବ୍ୟୁରୋ: ଅଡୁଆରେ ପୋଲିସ । ଜଣେ ବ୍ୟକ୍ତିଙ୍କୁ ଏକ ମାମଲାରେ ପୋଲିସ ଉଠାଇ ଆଣି ପଚରାଉଚରା କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ହେଲେ ଯେଉଁ ବ୍ୟକ୍ତି ଭାବି ପୋଲିସ ଉଠାଇ ଆଣିଥିଲା ସେ ସେହି ବ୍ୟକ୍ତି ନୁହେଁ ବୋଲି ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି । ଏହାପରେ ପୋଲିସ ହରଡଘଣାରେ ପଡିଛି । ଯଦି ମୃତକଙ୍କ ପରିବାର ଲୋକଙ୍କ ଦାବି ସତ ହୁଏ ତାହେଲେ ପୋଲିସର ଏତେ ବଡ ଭୁଲ୍ କେମିତି ହେଲା? ମୃତ୍ୟୁ ପାଇଁ ପୋଲିସ ଉତ୍ତରଦାୟୀ ରହିବ କି?

ଶୁଖୁନି ଆଖିର ଲୁହ, ଥମୁନି ଛାତିର କୋହ । ଛୋଟିଆ ଝିଅ ଆଖିରୁ ବୋହିଯାଉଛି ଧାର ଧାର ଲୁହ । ଘରର ସଦସ୍ୟଙ୍କୁ ଝୁରି ଝୁରି ରାହା ଧରି କାନ୍ଦୁଛନ୍ତି ପରିବାର ସଦସ୍ୟ । ସତେ ଯେମିତି ପରିବାର ଉପର ବଜ୍ର ପଡିଯାଇଛି । କାନ୍ଦ ବୋବଳିରେ ଫାଟିପଡୁଛି ଖଣ୍ଡମଣ୍ଡଳ । ମୃତ ବାପାକୁ ପୁଲିସ ଚୋର ସଜାଇ ଦେଇଥିବାବେଳେ ତାକୁ ସହଜରେ ଗ୍ରହଣ କରିପାରୁନି ପରିବାର ।

ତେବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃ୍ଷ୍ଟି କରିଛି । ମୃତକଙ୍କ ନାଁକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୋଲିସ କହୁଛି, ମୃତକ ହେଉଛନ୍ତି ପ୍ରଦୀପ ସାହୁ କିନ୍ତୁ ଅନ୍ୟପଟେ ମୃତକଙ୍କ ପତ୍ନୀ ତାଙ୍କୁ ଦେବେନ୍ଦ୍ର ଚୌଧୁରୀ କହି ଆଧାର କାର୍ଡର ପ୍ରମାଣ ଦେଇଛନ୍ତି । ପୋଲିସ ହେପାଜତରେ ଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ପରିବାର ଏହାକୁ ହାଜତ ମୃତ୍ୟୁ ବୋଲି ଅଭିଯୋଗ କରୁଛି ।

  • ପୁଲିସ ହେପାଜତରେ ହଠାତ ମୃତ୍ୟୁ ହେଲା କିଭଳି?
  • ପରିବାର ଲୋକଙ୍କୁ ଖବର ଦେବାର ବିଳମ୍ବ ହେଲା କାହିଁକି?

ପୋଲିସର କହିବା କଥା ହେଉଛି, ଏହି ମୃତକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିଲା । ରବିବାର ସନ୍ଧ୍ୟାରେ ପାଟ୍ରୋଲିଂ ବେଳେ ପୁଲିସକୁ ଦେଖି ଦୌଡି ପଳାଇବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ରାସ୍ତାରୁ ଉଠାଇ ଥାନାକୁ ଆଣିିଥିଲା । ଆଉ ପୁଲିସ ହେପାଜତରେ ପଚରାଉଚରା ବେଳେ ଅସୁସ୍ଥ ହୋଇପଡିଥିବା ଏହି ବ୍ୟକ୍ତିଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଘଟଣାକ୍ରମକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଓ ପଡୋଶୀ । ସେ ଜୀବନକାଳ ଭିତରେ କୌଣସି ଅପରାଧରେ ସାମିଲ ନଥିବା କହିଛନ୍ତି ପତ୍ନୀ…

  • ବଡଗଡ ଥାନାର ସିସିଟିଭିରେ ଲୁଚିରହିଛି ଏହି ରହସ୍ୟମୟ ସତ !
  • ପ୍ରଶ୍ନ ଉଠୁଛି, ମୃତ୍ୟୁ ହୋଇସାରିବା ପରେ ହସପିଟାଲକୁ ନିଆଯାଇଥିଲା କି ?
  • ହସପିଟାଲ, ରାସ୍ତା ନା ହାଜତରେ, କେଉଁଠି ହେଲା ଏହି ବ୍ୟକ୍ତିଙ୍କ ମୃତ୍ୟୁୁ ?
  • ଠିକ ସମୟରେ ପୁଲିସ ତାଙ୍କୁ ପୋଲିସ ହସପିଟାଲ ନେଇଥିଲା କି?
  • ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ପରିବାର ଲୋକଙ୍କୁ ଜଣାଇଥିଲା କି ପୁଲିସ?
  • ଏବେ ବି ଅସ୍ପଷ୍ଟ କିଏ ଏହି ବ୍ୟକ୍ତି- ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ ?