ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ସାମ୍ନାକୁ ଆସିଲା ନୂଆ ଦୃଶ୍ୟ । ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ କେତେକ ପ୍ରକଳ୍ପର ପୋଷ୍ଟର ହଟାଇ ଦେଇଥିବା ସୂଚନା

123

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଭିତରେ ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥା ପ୍ରକଳ୍ପର କିଛି ଲେ ଆଉଟ ବା ପୋଷ୍ଟର ହଟାଇ ଦେଇଛି । କାହିଁକି ଏଭଳି ପଦକ୍ଷେପ ନେଲା ତାକୁ ନେଇ ଚର୍ଚ୍ଚା ବଢୁଛି । ୨୧ ତାରିଖରେ ହାଇକୋର୍ଟରେ ଶୁଣାଣି ଥିବାରୁ ତରବରିଆ ଭାବରେ ଏଭଳି ପଦକ୍ଷେପ ନିଆଯାଇଛି କି ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ଖନନ ଓ ନିର୍ମାଣ ସ୍ଥଳଠାରେ ନିର୍ମାଣ କାମ ଚଳାଇଥିବା ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍, ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଲେ-ଆଉଟ ବା ପୋଷ୍ଟର ଲଗାଇଥିଲା । ହେଲେ ପାଚେରୀ କାନ୍ଥରେ ଲାଗିଥିବା କେତେକ ପୋଷ୍ଟରକୁ ହଟାଇ ଦିଆଯାଇଛି । କେବଳ ଶୌଚାଳୟ ଓ ବିଶ୍ରାମ ପ୍ରକୋଷ୍ଠର ପୋଷ୍ଟର ଲାଗିଥିବାବେଳେ ଦାନ କିଓସ୍କ, ଇଲେକ୍ଟ୍ରିକାଲ ରୁମ ପରି ଅନ୍ୟ କେତେକ ବିବାଦୀୟ ନିର୍ମାଣର ପୋଷ୍ଟରକୁ ହଟାଇ ଦେଇଛି ଠିକା ସଂସ୍ଥା । ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

କଥାହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଜଗନ୍ନାଥ ମନ୍ଦିର ଚାରିପଟେ ଯେଉଁ ଖନନ ଓ ନିର୍ମାଣକାମ ଜାରି ରହିଛି, ତାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ବିବାଦ ତେଜୁଛି । ପ୍ରାୟ ୩୦ରୁ ୫୦ ଫୁଟ ଗାତଖୋଳି ପୁରୀ ଶ୍ରୀମନ୍ଦିରକୁ ପ୍ରଶାସନ ବିପଦକୁ ଠେଲି ଦେଉଥିବା ଅଭିଯୋଗରେ ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ଆନ୍ଦୋଳନ ଚଳାଇଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗର ଅନୁମତି ବିନା ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ଏହି ନିର୍ମାଣ କାମକୁ ବେଆଇନ କହି ପ୍ରତିବାଦ ହେଉଛି । ଆଉ ଏତିକିବେଳେ ଠିକା ସଂସ୍ଥା କେତେକ ବିବାଦୀୟ ନିର୍ମାଣର ପୋଷ୍ଟର ହଟାଇଦେବା ପରେ ପ୍ରଶାସନ ଇସାରାରେ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଶ୍ରୀମନ୍ଦିର କାର୍ଯ୍ୟାଳୟ, ଦକ୍ଷିଣ ଦ୍ୱାର, ପୂର୍ବ-ଦକ୍ଷିଣ ଦ୍ୱାର କୋଣରେ ଖୋଳା ଯାଇଥିବା ସ୍ଥାନରେ ବାଲି ପୋତି ଦେଇଥିଲା ଜିଲ୍ଲା ପ୍ରଶାସନ । ସେତେବେଳେ ବାଲିର ଉଠି ସାରିବା ପରେ ଖୋଳା ଯାଇଥିବା ସ୍ଥାନକୁ ବାଲି ପୋତା ଯାଇଥିବା ପ୍ରତିକ୍ରିୟା ଦେଇଥିଲା ପୁରୀ ପ୍ରଶାସନ । ହେଲେ ଏବେ ନିର୍ମାଣସ୍ଥଳରୁ ବିବାଦୀୟ ପୋଷ୍ଟର ହଟାଯିବାକୁ ନେଇ ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେଣୁ ଆଶଙ୍କା କରାଯାଉଛି ବିବାଦ ହେଉଥିବା ନିର୍ମାଣ କାମକୁ ବନ୍ଦ କରିବାକୁ ନିଷ୍ପତ୍ତି କରିଛି କି ପୁରୀ ଜିଲ୍ଲା ପ୍ରଶାସନ?