ଆକାଂକ୍ଷୀ ଜିଲ୍ଳା ଗସ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଦଳୀୟ ନେତା । ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

131

କନକ ବ୍ୟୁରୋ: ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ୧୦ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପଛରେ ବିକାଶ ପାଇଁ ଗୁରୁତ୍ୱ କମ୍, ରାଜନୀତି ଅଧିକ ବୋଲି ସନ୍ଦେହ କରୁଛି ବିଜେଡି । କାରଣ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତସୂଚୀର ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେଥିରେ ବିଜେପିର ଜିଲ୍ଲା ସଭାପତିଙ୍କୁ ସାମିଲ କରିବାକୁ କୁହାଯାଇଛି । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ସାଧାରଣ ନିର୍ବାଚନ ପ୍ରସ୍ତୁତିର ଏକ ଅଂଶ ଭାବେ ମଧ୍ୟ ବିଚାର କରୁଛି ଶାସକ ଦଳ ।

ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ଆସୁଥିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ପ୍ରଥମେ ମଙ୍ଗଳବାର କୋରାପୁଟରେ କେନ୍ଦ୍ରମନ୍ତ୍ରୀ ସଂଜୀବ ବଲିୟାନ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଅସହଯୋଗ କଥା ଉଠାଇଥିଲେ । ଆଉ ଏବେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାକୁ ବିକାଶ ଉଦ୍ଦେଶ୍ୟ ନୁହେଁ ଶୁଦ୍ଧ ରାଜନୀତି ବୋଲି କହିଛି ବିଜେଡି ।

  • ଆକାଂକ୍ଷୀ ଜିଲ୍ଲା ସମୀକ୍ଷାକୁ ନେଇ ତେଜିଲା ରାଜନୀତି
  • ସମୀକ୍ଷା ଦେଖାଣିଆ, ରାଜନୈତିକ ଏଜେଣ୍ଡା ଥିବା ଅଭିଯୋଗ

ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ଅନୁଦାନ ଓ ପ୍ରକଳ୍ପର ସମୀକ୍ଷା ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି । ଓଡିଶାର ପଛୁଆ ଜିଲ୍ଲାର ବିକାଶ କାମକୁ ଗୁରୁତ୍ୱ ଦେବା ଅପେକ୍ଷା କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତରେ ରାଜନୀତି ଉଦ୍ଦେଶ୍ୟର ସନ୍ଦେହ କରୁଛି ବିଜେଡି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସୂଚୀର ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେଥିରେ ବିଜେପି ଜିଲ୍ଲା ସଭାପତି କିମ୍ବା ସଂଗଠନର ନେତାଙ୍କୁ ସାମିଲ କରିବାକୁ କୁହାଯାଇଛି । ପ୍ରଶ୍ନ ଉଠୁଛି, ବିକାଶମୂଳକ କାର୍ଯ୍ୟର ସମୀକ୍ଷାରେ ନିର୍ଦ୍ଦିଷ୍ଟ ଦଳର ଜିଲ୍ଲା ନେତାଙ୍କ କାମ କଣ?

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ଆକାଂକ୍ଷୀ ଜିଲ୍ଲା ପାଇଁ ଅନୁଦାନକୁ ୬୦-୪୦ ପ୍ରତିଶତ ଅନୁପାତ ବଦଳରେ କାହିଁକି ୯୦-୧୦ ପ୍ରତିଶତ କରୁ ନାହାନ୍ତି । ଏହା କଲେ ସେହି ଜିଲ୍ଲାର ବିକାଶ ହୋଇପାରନ୍ତା । କେନ୍ଦ୍ର ସରକାର ବିକାଶକୁ ଫୋକସ କରୁନାହାନ୍ତି ରାଜନୈତିକ ଏଜେଣ୍ଡା ଥିବା କହିଛନ୍ତି ସାସଂଦ । ସେପଟେ ରାଜ୍ୟ ବିଜେପି କହିଛି, କେନ୍ଦ୍ରମନ୍ତ୍ରୀ ବିକାଶ କାମର ସମୀକ୍ଷା ପାଇଁ ଆସୁଛନ୍ତି, କିନ୍ତୁ ବିଜେଡି ରାଜନୀତି କରୁଛି ।

ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀଙ୍କ କେନ୍ଦ୍ରୀୟ ପ୍ରକଳ୍ପର ବାସ୍ତବ ସ୍ଥିତି ନିରୀକ୍ଷଣ ସମୀକ୍ଷା ପ୍ରସଙ୍ଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କହିଛି ବିଜେଡି । ଅନ୍ୟପଟେ ଚାରି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ସମୟରେ ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ ଗସ୍ତ କରି କେନ୍ଦ୍ରୀୟ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିବେ ।