ରାଜ୍ୟରେ ବଢ଼ୁଛି ବେଆଇନ ନିଶା କାରବାର । ପ୍ରତିଦିନ ହାରାହାରି ୯୨ ଜଣ ଗିରଫ ହେଉଥିବାବେଳେ ରୁଜୁ ହେଉଛି ୧୧୦ ମାମଲା

74

କନକ ବ୍ୟୁରୋ: ଚୋରା ନିଶା ବେପାରୀଙ୍କ ଚରାଭୂଇଁ ପାଲଟିଛି ଓଡିଶା । ୨୦୨୧-୨୨ର ଅବକାରୀ ବିଭାଗର ରିପୋର୍ଟରୁ ଏହି ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ କହୁଛି ରାଜ୍ୟରେ ହାରାହାରି ଦିନକୁ ୯୨ ଜଣ ଏହି ମାମଲାରେ ଗିରଫ ହେଉଛନ୍ତି । ବଡ କଥା ହେଉଛି ୨୦୨୧-୨୨ରେ ଏହି ସବୁ ମାମଲାରେ ଗିରଫଦାରୀ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା ୭୦ ପ୍ରତିଶତରୁ ଅଧିକ ରହିଛି । ଯାହା ଅବକାରୀ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

  • ରାଜ୍ୟରେ ବଢୁଛି ବେଆଇନ ନିଶା ବେପାର
  • ଦିନକୁ ହାରାହାରି ୧୧୦ ମାମଲା, ୯୨ ଗିରଫ

ଚୋରା ନିଶା ବେପାରୀଙ୍କ ଚରାଭୂଇଁ ପାଲଟିଛି ରାଜ୍ୟ । ୨୦୨୧-୨୨ର ଅବକାରୀ ବିଭାଗର ରିପୋର୍ଟକୁ ଅନୁଧ୍ୟାନ କଲେ ଏମିତି କିଛି ସାଂଘାତିକ ଚିତ୍ର ସାମ୍ନାକୁ ଆସୁଛି । ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରତିଦିନ ନିଶା କାରବାର ଅଭିଯୋଗରେ ହାରାହାରି ୯୨ ଜଣ ଗିରଫ ହେଉଥିବା ବେଳେ ୧୧୦ରୁ ଉଦ୍ଧ୍ୱର୍ ମାମଲା ରୁଜୁ ହେଉଛି । ରାଜ୍ୟ ଅବକାରୀ ବିଭାଗଠାରୁ ମିଳିଥିବା ତଥ୍ୟ ଅନୁସାରେ ଉଭୟ ଅବକାରୀ ଓ ଏନଡିପିଏସରେ ୨୦୨୦-୨୧ ବର୍ଷରେ ୨୫ ହଜାର ୪୬୬ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧-୨୨ ବର୍ଷରେ ଏହି ସଂଖ୍ୟା ୪୦ ହଜାର ୪୨୭ ରହିଛି । ସେହିପରି ୨୦୨୦-୨୧ରେ ଗିରଫଦାରୀ ସଂଖ୍ୟା ୧୯ ହଜାର ୬୩୧ ଥିବା ବେଳେ ୨୦୨୧-୨୨ରେ ଏହା ବୃଦ୍ଧି ପାଇ ୩୩ ହଜାର ୫୩୯ରେ ପହଞ୍ଚିଛି । ଯାହା ଅବକାରୀ ବିଭାଗର ପାରିବା ପଣିଆ ଉପରେ ବଡ ପ୍ରଶ୍ନ ଛିଡା କରିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୧-୨୨ରେ ଏହି ସବୁ ମାମଲାରେ ଗିରଫଦାରୀ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା ୭୦ ପ୍ରତିଶତରୁ ଅଧିକ ରହିଛି । ରୁଜୁ ହୋଇଥିବା ମାମଲା ମଧ୍ୟ ପୁର୍ବବର୍ଷ ତୁଳନାରେ ୬୦ ପ୍ରତିଶତରୁ ଅଧିକ ରହିଛି । ଯାହା ଏବେ ଅବକାରୀ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଭିନ୍ନ ନିଶାଦ୍ରବ୍ୟ ଭିତରେ ରାଜ୍ୟରେ ଏବେ ଚିନ୍ତା ବଢାଇଛି ଧଳା ଜହର କୁହାଯାଉଥିବା ବ୍ରାଉନ ସୁଗାର । ଅବକାରୀ ବିଭାଗର ତଥ୍ୟ ଅନୁସାରେ ୨୦-୨୧ ବର୍ଷରେ ପ୍ରାୟ ୩କେଜି ୬୫୪ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୨୧-୨୨ ବର୍ଷରେ ଏହାର ପରିମାଣ ୧୧କେଜି ୬୬୩ଗ୍ରାମରେ ପହଞ୍ଚିଛି ।

ତେବେ ରାଜ୍ୟରେ ଏତେ ଅଧିକ ସଂଖ୍ୟାରେ ମାମଲା ରୁଜୁ ହେବା ସହ ଗିରଫଦାରୀ ବଢୁଥିବା ବେଳେ, ଦଣ୍ଡବିଧାନ ହାର କମ ରହୁଥିବାରୁ ନିଶା ବେପାର ଉପରେ ରୋଗ ଲାଗିପାରୁନଥିବା କୁହାଯାଉଛି । ଆଇନର ଗଳାବାଟ ଦେଇ ସହଜ ଉପାୟରେ ଅଧିକ ରୋଜଗାର କରିହେଉଥିବାରୁ ନିଶାବେପାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ରିପୋର୍ଟର ସବୁଠାରୁ ବଡ ଦିଗ ହେଉଛି ରାଜ୍ୟରେ ଜବତ ହୋଇଥିବା ଚୋରା ନିଶା ଦ୍ରବ୍ୟର ମୂଲ୍ୟ ଗତ ଆର୍ଥିକ ବର୍ଷରେ ପାଖାପଖି ୧୩୩ କୋଟି ଟଙ୍କା ରହିଛି । ଯାହା ପୂର୍ବବର୍ଷ ଅପେକ୍ଷା ୮୭ ପ୍ରତିଶତରୁ ଅଧିକ ବୋଲି ଏଥିରେ ଦର୍ଶାଯାଇଛି ।