ଜଙ୍ଗଲ ନିଆଁ ରୋକିବା ପାଇଁ ବଡ଼ ଯୋଜନା । ଶିମିଳିପାଳରେ ଜଗିଛି ଏଆଇ କ୍ୟାମେରା, ଧୁଆଁ ବାହାରିଲେ କରାଉଛି ସତର୍କ

50

କନକ ବ୍ୟୁରୋ : ଜଙ୍ଗଲ ନିଆଁ ରୋକିବା ଦିଗରେ ସହାୟକ ହେଉଛି ଏଆଇ କ୍ୟାମେରା । ଧୂଆଁ ବାହାରିବା କ୍ଷଣି ବନ ବିଭାଗକୁ ମିଳିଯାଉଛି ମେସେଜ । ଯାହା ଦ୍ୱାରା ଜଙ୍ଗଲରେ ନିଆଁ ବ୍ୟାପିବା ପୂର୍ବରୁ ହିଁ ଏହାକୁ ରୋକାଯାଇ ପାରୁଛି । ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଏହାର ପରୀକ୍ଷଣ କରାଯାଉଛି । ଏହା ସଫଳ ହେଲେ ରାଜ୍ୟର ସମସ୍ତ ଜଙ୍ଗଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ପିସିସିଏଫ ଦେବୀଦତ ବିଶ୍ୱାଳ ।

ରାଜ୍ୟର ବିଭିନ୍ନ ଜଙ୍ଗଲ ଜଳୁଥିବାରୁ ଦୃଶ୍ୟ ସାମ୍ନାକୁ ଆସିଛି । କିନ୍ତୁ୍ ପିସିସିଏଫ କହୁଛନ୍ତି ବନ କର୍ମଚାରୀଙ୍କ ପଦକ୍ଷେପ ପରେ ନିୟନ୍ତ୍ରଣ କରାଯାଇପାରୁଛି । ବନ ବିଭାଗର ସୂଚନା ଅନୁସାରେ ଜଙ୍ଗଲର ୧୬ ହଜାର ପଏଂଟରେ ନିଆଁ ଲାଗିଛି । ଗତବର୍ଷ ୩୭ ହଜାର ପଏଂଟରେ ନିଆଁ ଲାଗିଥିଲା । ଚଳିତବର୍ଷ ଏହି ସଂଖ୍ୟା ଅଧା କମିଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ହେଇଥିିବା କହିଛନ୍ତି ପିସିସିଏଫ୍ । ଆଉ ୭ଟି ସ୍ଥାନରେ ଓଡ୍ରାଫ୍ ଟିମକୁ ମୁତୟନ କରାଯାଇଛି ।

ସେପଟେ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଆଦିବାସୀଙ୍କୁ ଶପଥ ପାଠ କରାଉଛି ବନ ବିଭାଗ । ବିଭିନ୍ନ ସ୍ଥାନରେ ସଭାସମିତି କରି ଏବଂ ପୋଷ୍ଟର ଲଗାଇ ଲୋକଙ୍କୁ ସଚେତନ କରାଯାଉଛି ।

ଜଙ୍ଗଲ ନିଆଁ ରୋକିବାକୁ ନୂଆ ନୂଆ କୌଶଳ ଆପଣାଉଛି ବନ ବିଭାଗ । ଏହି ପଦକ୍ଷେପ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।