ଉଷୁମ ହେଉଛି କଟକ-ବାରବାଟୀ ରାଜନୀତି । କଟାକ୍ଷ କଲେ ବିଧାୟକ ମହମ୍ମଦ ମୋକିମ । କହିଲେ, ବାହାର ନେତାଙ୍କୁ ଆମଦାନୀ କରି ପ୍ରାର୍ଥୀ କରିଛି ବିଜେଡି

221

କନକ ବ୍ୟୁରୋ : ମହମ୍ମଦ ମୋକିମଙ୍କ କିଏ କଟକିଆ, କିଏ ବାହାରିଆ ବକ୍ତବ୍ୟ କଟକ-ବାରବାଟୀର ରାଜନୀତି ପାଣିପାଗକୁ ଉଷ୍ମ କରିଛି । ଏଠାରେ ବିଜେଡି ପ୍ରକାଶ ବେହେରାକୁ ପ୍ରାର୍ଥୀ କରିଛି । ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୋକିମ । ମୋକିମ କହିଛନ୍ତି, ସାଲେପୁର ନେତାଙ୍କୁ ଆମଦାନୀ କରିଛି ବିଜେଡି? କଟକ ଲୋକ ଏହାର କଡା ଜବାବ ଦେବେ । ୨୫ ବର୍ଷରେ ବିଜେଡି କଟକ ବାରବାଟୀରେ କୌଣସି ପ୍ରାର୍ଥୀ ତିଆରି କରିପାରିଲେନି ବୋଲି ପ୍ରଶ୍ନ କରଛନ୍ତି ମୋକିମ ।

ପ୍ରକାଶ ବେହେରାଙ୍କୁ ନେଇ ମୋକିମଙ୍କ ମନ୍ତବ୍ୟ ପରେ ସଫେଇ ଦେଇଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ପ୍ରକାଶ ବେହେରାଙ୍କ ସପକ୍ଷରେ ବାହାରିଛନ୍ତି ଦେବାଶିଷ । ଦେବାଶିଷଙ୍କ କହିବା କଥା ହେଲା, ପ୍ରକାଶଙ୍କ ଘର କଟକରେ । ସେ ଷ୍ଟୁଆର୍ଡ କଲେଜର ଛାତ୍ର । କଟକରେ ତାଙ୍କ ଘର ଅଛି । ବରଂ ମୋକିମ ନିଜେ କେନ୍ଦ୍ରପଡାରୁ ଆସିଛନ୍ତି । ଦେବାଶିଷଙ୍କ ମନ୍ତବ୍ୟପରେ ମହମ୍ମଦ ମୋକିମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଦୁଇ ଦୁଇଥରର କଟକ ପାଇଁ କଣ କରିଛନ୍ତି ? ଯାହା କାମ ହୋଇଛି ଗତ ୫ ବର୍ଷରେ ହୋଇଛି ।

କଟକ –ବାରବାଟୀରେ କଂଗ୍ରେସ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ଦୁର୍ନୀତି ମାମଲାରେ ମୋକିମ ଦଣ୍ଡାଦେଶ ପାଇଥିବାରୁ ତାଙ୍କ ସ୍ଥାନରେ ତାଙ୍କ ଝିଅ ସୋଫିଆ ପିର୍ଦ୍ଦୋସ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥଳେ ପ୍ରକାଶ ବେହେରାଙ୍କ ପ୍ରାର୍ଥୀତ୍ୱକୁ ନେଇ ମୋକିମ ଓ ଦେବାଶିଷଙ୍କ ମୁହାଁମୁହିଁରେ ଘିଅ ଢାଳିଛନ୍ତି କଟକ ମେୟର । ସୁବାସ ସିଂ କହିଛନ୍ତି, ମୋକିମ କଟକ ପାଇଁ କଳଙ୍କିତ ଅଧ୍ୟାୟ । ସେ ଯେଉଁ ମହିଳା କାର୍ଡ ଖେଳି କଟକ-ବାରବାଟୀକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି, ତାହା କୌଣସି ପ୍ରଭାବ ପକାଇବ ନାହିଁ ।

କଟକ-ବାରବାଟୀ ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ କଂଗ୍ରେସ ଓ ବିଜେପି । ଆଉ ମୋକିମଙ୍କ ବକ୍ତବ୍ୟ କଟକ-ବାରବାଟୀ ରାଜନୀତିକୁ କେତେ ପ୍ରଭାବ ପକାଉଛି , ତାହା ନିର୍ବାଚନ ଫଳାଫଳ ପରେ ଜଣାପଡିବ ।