ଆଜି ବି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି : ଲଗାତର ୨ଦିନ ହେଲା ୪୫ଡିଗ୍ରୀ ଥିବା ବୌଦ୍ଧରେ ବଢୁଛି ପାରଦ; ଗାଡି ବନେଟରେ ଅଣ୍ଡା ପକାଇଲେ ହେଉଛି ଓମଲେଟ

178

କନକ ବ୍ୟୁରୋ : ଆଜି ବି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଲଗାତର ୨ଦିନ ହେଲା ୪୫ଡିଗ୍ରୀ ଥିବା ବୌଦ୍ଧରେ ବଢିବାରେ ଲାଗିଛି ପାରଦ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ୪୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବୌଦ୍ଧରେ ଆଜି ବି ତାତି କଲବଲ କରୁଛି । ଏପରିକି ଗାଡି ବନେଟରେ ଅଣ୍ଡା ପକାଇଲେ କିଛି ସମୟ ପରେ ଏହା ଓମଲେଟ ହେଇଯାଉଛି । ଏପଟେ ଆଇଏମଡିର ଆକଳନ ଆହୁରି ସପ୍ତାହେ ଯାଏଁ ତାତିରୁ ମିଳିବନି ଆଶ୍ୱସ୍ତି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ମେ’ ପ୍ରଥମ ସପ୍ତାହ ଯାଏଁ ଦେଶର ବିଭିନ୍ନ ଭାଗରେ ହିଟୱେଭ ଜାରି ରହିବ । ଶୁକ୍ରବାର ୪୭ ଦଶମିକ ୪ ଡିଗ୍ରୀ ସେଲସିଅସ ସହ ଉତ୍ତର ପ୍ରଦେଶର ବୋଣ୍ଡା ଦେଶରୁ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

ଓଡିଶାରେ ଲଗାତର ଦ୍ୱିତୀୟ ଦିନ ପାଇଁ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ହୋଇଛି । ଶୁକ୍ରବାର ଏଠାରେ ତାପମାତ୍ରା ୪୫ ଡିଗ୍ରୀ ଥିଲା । ତେବେ କାଲିଠାରୁ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ତାତି ସାମାନ୍ୟ କମିବା ଆଶା କରାଯାଉଛି । ସେପଟେ ଦିଲ୍ଲୀରେ ୭୨ ବର୍ଷର ରେକର୍ଡ ଟପିଛି ଏପ୍ରିଲ ମାସର ତାତି । ଖରା ତାତିରେ ଦିନ ୧୧ଟାରୁ ୩ଟା ଯାଏଁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ରାସ୍ତାରେ ଅଣ୍ଡା ଭାଙ୍ଗିଲେ ତାହା ଓମଲେଟ ପାଲଟିଯାଉଛି । ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଦିନ ୧୧ଟା ପରେ ଅଧିକାଂଶ ସ୍ଥାନରେ ରାସ୍ତାରେ ଖରାର କର୍ଫ୍ୟୁ ଲାଗିଯାଉଛି ।

ଭାରତୀୟ ପାଣିପାଗ ବିଭାଗ କହିଛି ଆଗାମୀ ୫ ଦିନ ଯାଏଁ ଦେଶର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବ । ରାଜସ୍ଥାନ, ଗୁଜରାଟ, ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତର ପ୍ରଦେଶ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ଓଡିଶାର ବିଭିନ୍ନ ଜିଲ୍ଲାରେ ତାତିର ପ୍ରକୋକ ରହିଛି । ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଦିନର ତାପାମାତ୍ରା ଆହୁରି ବଢିପାରେ । ଦେଶର ଉତ୍ତର-ପଶ୍ଚିମ ଭାଗରେ ତାପାମାତ୍ରା ୪୭ ଡିଗ୍ରୀ କିମ୍ବା ତା ଉପରକୁ ଟପି ଯାଇପାରେ । ଏସବୁ ସହର ପାଇଁ ହିଟୱେଭ ଆଲର୍ଟ ଜାରି କରାଯାଇଛି । ଗୋଟିଏ ଷ୍ଟେସନର ତାପାମାତ୍ରା ୪୦ ଡିଗ୍ରୀ ଉପରକୁ ଟପିଗଲେ ହିଟ୍ୱେଭ ଜାରି କରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ତେବେ ପାହାଡିଆ ଅଂଚଳରେ ୩୦ ଡିଗ୍ରୀ କିମ୍ବା ତାଠୁ ଅଧିକ, ଉପକୂଳ ଅଂଚଳରେ ୩୭ ଡିଗ୍ରୀରୁ ଅଧିକ ଓ ସମତଳ ଅଂଚଳରେ ୪୦ ଡିଗ୍ରୀରୁ ଅଧିକ ତାପାମାତ୍ରା ରହିଲେ ହିଟୱେଭ ଜାରି କରାଯାଏ ।