କନକ ବ୍ୟୁରୋ: ଧାଁ ଦୌଡର ସହର, ଭିଡର ଭୁବନେଶ୍ୱର । ଏଠି ପାଦେ ଆଗାଏ ଜୀବନ, ପାହୁଣ୍ଡେ ଧାଇଁଯାଏ ଜୀବିକା । ଉତ୍ତପ୍ତ ଅପରାହ୍ନ ହେଉ କି ଶାନ୍ତିର ସଞ୍ଜ । ଆଶାଟିଏ ନେଇ ଆଗେଇ ଚାଲେ ମଣିଷ । ବଞ୍ଚିବା ପାଇଁ ସଙ୍ଘର୍ଷ କରୁଥାଏ ଶ୍ରମିକ । ଭୋକର ଥାଳ ଧରି ବି ବୁଲୁଥାଏ ଭିକ୍ଷୁକ । ଏଠି ନିଇତି ମଞ୍ଚସ୍ଥ ହୁଏ ବ୍ୟସ୍ତତାର ମହାନାଟକ, କାହା ପାଖେ ନଥାଏ କାହା ପାଇଁ ବି ସମୟ । ଏଠି କାଳେ ସଭିଁଏ ସ୍ୱାର୍ଥପର ? ସ୍ୱାର୍ଥ ସରିଗଲେ କେହି ନୁହଁନ୍ତି କାହାର? ଅନେକ କୁହନ୍ତି ଏ ସ୍ୱଭାବ କାଳେ ରାଜଧାନୀର ...
ହେଲେ କେବେ ଆପଣ ଦେଖିଛନ୍ତି କି ଏହି ସ୍ୱାର୍ଥର ସହରରେ ବିନା ସ୍ୱାର୍ଥରେ ହସ ବାଣ୍ଟୁଥିବା ଫୁଲେଇ ଫୁଲକୁ ? ବିନା ପାଉଣାରେ ବଞ୍ଚିବାର ବାଟ ଦେଖାଉଥିବା ଫୁଲଗଛକୁ...? ସେ ସେମିତି ଫୁଟେ, ସେମିତି ବାସେ, ମହକେ, ମଉଳେ, ଝାଉଁଳେ ଆଉ ଝଡିପଡେ, ଏହି ସ୍ମାର୍ଟସିଟିର ସିମେଣ୍ଟ ଛାତିରେ, ଭୁବନେଶ୍ୱରର ଭିଡ ଭିତରେ... ଯାହାକୁ ନା କେବେ ଦେଖିଛି ମଣିଷ ନା କେବେ ଦେଖିବାକୁ ଆଖି ଉଠାଇଛି । ତଥାପି ଏକାଏକା ଉତ୍ତପ୍ତ ଅପରାହ୍ନରେ ଉତ୍ସବ ପାଳୁଛନ୍ତି ଫୁଲେଇ ଫୁଲ, ବୟସର କୃଷ୍ଣଚୂଡା...

Advertisment

ଗ୍ରୀଷ୍ମର ଆଗମନୀ ସମସ୍ତଙ୍କ ପାଇଁ ଅଭିଶାପ ପାଲଟିଛି । ସହର ସିଝୁଛି, ଗାଁ ସିଝୁଛି । ମାଟି ତାତୁଛି, ମୁଣ୍ଡ ତାତୁଛି । ତତଲା ପିଚୁର ରାସ୍ତା ଉପରେ ପୋଡିଯାଉଛି ପାଦ । ଝାଞ୍ଜି ପବନରେ ଝାଉଁଳି ଯାଉଛି ଜୀବନ । ଆଉ ୟାରି ଭିତରେ ରାଜଧାନୀର ରାସ୍ତା କଡରେ ପବନରେ ଦୋଳି ଖେଳୁଛି ଫୁଲ । ନୂଆ ନୂଆ ପ୍ରୀତିର ଗୀତ ଗାଉଛି ନାଲି ରଙ୍ଗର କୃଷ୍ଣଚୂଡା । ଗୋଲାପି ରଙ୍ଗର ଓଡଣୀ ତଳେ ଲୁଚି ଲୁଚି କବିତା ଲେଖୁଛି କାଗେଜି ଫୁଲ । ହଳଦୀ ମଖା ମୁହଁରେ ହାଲକା ହସ ଧରି ମାଟିର ମଲାଟ ଉପରେ ହାର ଜିତର ହରଣ ଗୁଣନ କରୁଛି ହଳଦୀ ଫୁଲ । ଆଉ ରାଜଧାନୀ ରାସ୍ତା କଡେ ହସର ହାଟ ମେଲାଇଛନ୍ତି ଏ ଗଛମାନେ...

ଶୋଷିଲା ସହର, ତତଲା ମାଟି
ଖରାର ତାତିରେ ଶୁଖେ ଏ ତଣ୍ଟି
କିଏ ସେ ଢାଳିଲା ସହରେ ରଙ୍ଗ
କଂକ୍ରିଟ ଛାତିରେ ଫୁଟେ ଫୁଲ ତରଙ୍ଗ...

publive-image

ତତଲା ଖରାରେ ସମସ୍ତେ ସିଝନ୍ତି, ଗମଗମ ଝାଳରେ ସମସ୍ତେ ଭିଜନ୍ତି । ଭିଜେ ଏ ମାଟି, ଭିଜେ ମଣିଷ । ଖରାର ତାତି ସମସ୍ତେ ସହନ୍ତି, ମଣିଷ ସହେ, ଏ ଫୁଲ ଗଛ ବି ସହେ । ହେଲେ ଫରକ ଏତିକି ସୂର୍ଯ୍ୟଙ୍କ ମୁଣ୍ଡଫଟା ତାତିରେ ମଉଳିଯାଏ ମଣିଷ । ନିସ୍ତେଜ ହୋଇଯାଏ ନିଶ୍ୱାସ, ଭାଙ୍ଗିଯାଏ ଭରସା, ଝାଉଁଳିଯାଏ ଆଶା । ହେଲେ ହାରେନି ରାସ୍ତା କଡର ଫୁଲ, ତାତିରେ ତ୍ରାହି ତ୍ରାହିର ମନ୍ତ୍ର ପଢନ୍ତିନି ରାଜଧାନୀର ରଙ୍ଗୀନ ଫୁଲମାନେ । ବରଂ ହୃଦୟକୁ ହସିବାର ଇମୋଜି ପଠାନ୍ତି, ସତେଜତାର ଆହ୍ୱାନ ଦିଅନ୍ତି । ଜୀବନକୁ ଜିନ୍ଦାବାଦ କହି ଗ୍ରୀଷ୍ମର ଗୀତ ଗାଆନ୍ତି । ଆଉ ଥକିପଡୁିବା ମଣିଷଙ୍କୁ ହସକୁରି ଫୁଲମାନେ କୁହନ୍ତି, ଉଠ ! ଜାଗ୍ରତ ହୁଅ, ମୋ ପରି ହସି ହସି ଜୀବନ ବିତାଅ, ଆଖିରେ ଆଖିଏ ସ୍ୱପ୍ନ ନେଇ ଆଗକୁ ଯାଅ, ଥକିଯିବା ମାନେ ନୁହେଁ ଜୀବନ... ଏଇ ଦେଖ ଆମେ ବି ଖରାର ତାଉରୁ ତ୍ରାହି ପାଉନୁ... ତଥାପି ତ ଆମେ ହସୁଛୁ, ଆମେ ଜିଉଁଛୁ...

ଖରାଛାଇର ଏ ଖେଳ ଭିତରେ ଆପଣ ଯେବେ ରାଜଧାନୀ ରାସ୍ତାରେ ଯାଉଛନ୍ତି ଥରେ ଶୁଣିବାକୁ ଚେଷ୍ଟା କରନ୍ତୁ କଥାବାର୍ତ୍ତା ହେଉଥିବା ସେ ଫୁଲମାନଙ୍କୁ । ଆଖିରୁ କଳା ଚଷମା ଖୋଲି ଖାଁ ଖାଁ ଖରାବେଳେ ଥରେ ଦେଖନ୍ତୁ କେମିତି ଫୁଲେଇ ହୁଏ ଫୁଲ, ନିର୍ଜନ ଜନପଥରେ ଝାଞ୍ଜକୁ ସହି ମୁହଁରୁ ଧଳା ଲୁଗା ହଟେଇ ଥରେ ଶୁଣିବାକୁ ଚେଷ୍ଟା କରନ୍ତୁ କୃଷ୍ଣଚୂଡାର ଗୀତ । ଦେଖିବେ ଉଦୁଉଦିଆ ଦ୍ୱିପ୍ରହରେ ମନ ହାଲକା ହେବା ପରେ ଆପଣ ବି ଗୁଣଗୁଣେଇବେ ଖୋକା ଭାଇଙ୍କ ବୟସର କୃଷ୍ଣଚୂଡା ରଙ୍ଗ ତୁମ ମନ୍ଦ ନୁହେଁ ...