ଲୋକାଲ କେବୁଲ ଟିଭିରେ ପାଠ ପଢାଉଥିବା ସୂର୍ଯ୍ୟ ସାରଙ୍କ ପାଇଁ ହେବ ଷ୍ଟୁଡିଓ : ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

240

କନକ ବ୍ୟୁରୋ : ଲୋକାଲ କେବୁଲ ଟିଭିରେ ପିଲାଙ୍କୁ ପାଠ ପଢାଉଥିବା ସୂର୍ଯ୍ୟ ସାରଙ୍କୁ ମିଲିବ ଷ୍ଟୁଡିଓ । ଗଞ୍ଜାମ ଧରାକୋଟର ଏହି ଶିକ୍ଷକଙ୍କ ଉଦ୍ୟମ ପାଇଁ ଜିଲ୍ଲା ପ୍ରଶାସନ ପ୍ରସଂଶା କରିବା ସହ ଏକ ଷ୍ଟୁଡିଓ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି । ଷ୍ଟୁଡିଓ ପାଇଁ ଯାହା ଖର୍ଚ୍ଚ ହେବ ଜିଲ୍ଲା ପ୍ରଶାସନ ଯୋଗାଇ ଦେବ । ସେହିପରି କେବୁଲ ଅପରେଟର ମଧ୍ୟ ଏଥିରେ ସହଯୋଗ କରିବେ ।

କରୋନା ମହାମାରୀ ସମୟରେ ପିଲାଙ୍କ ସ୍କୁଲ ଯିବା ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ, ପିଲାମାନଙ୍କୁ ଶିକ୍ଷା ଯୋଗାଇଦେବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ପାଲଟିଛି । ତେଣୁ ୟୁଟ୍ୟୁବ୍ ମାଧ୍ୟମରେ ପିଲାମାନେ ପାଠ ପଢିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । କିନ୍ତୁ ସବୁ ପିଲାଙ୍କ ପାଖରେ ଆଣ୍ଡ୍ରଏଡ଼ ମୋବାଇଲ ଫୋନ ନଥିବା ବେଳେ ଅନେକ ସ୍ଥାନରେ ନେଟୱାର୍କ ସମସ୍ୟା ମଧ୍ୟ ଦେଖାଯାଉଛି । ଯାହା ଦ୍ୱାରା ଅନେକ ପିଲା ପାଠ ପଢିବାରୁ ବଂଚିତ ହେଉଛନ୍ତି । ଏପରି ସ୍ଥିତିରେ ପିଲାଙ୍କୁ ପାଠ ପଢାଇବା ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି ଗଂଜାମ ଧରାକୋଟ ମୁଣ୍ଡମରାଇ ଗାଁର ଦେଓପାଟଣା ସ୍କୁଲର ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ।

ଲୋକାଲ ଟିଭି ଚ୍ୟାନେଲରେ ସେ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ପିଲାମାନେ ଘରେ ବସି ପାଠ ପଢୁଛନ୍ତି । ଆଉ ମୋବାଇଲ ଦରକାର ପଡ଼ୁନାହିଁ କି ନେଟ ମଧ୍ୟ ଦରକାର ପଡ଼ୁନାହିଁ । ଧରାକୋଟ ବ୍ଳକର ୭ଟି ପଂଚାୟତରେ ପ୍ରାୟ ପିଲାଙ୍କ ପାଖରେ ଆଣ୍ଡ୍ରଏଡ଼ ମୋବାଇଲ ନାହିଁ । ଯଦି କାହା ପାଖରେ ଅଛି ନେଟୱାର୍କ ସମସ୍ୟା ସାଙ୍ଗକୁ ରିଚାର୍ଜ ପାଇଁ ଟଙ୍କା ନାହିଁ । ଏଭଳି ସ୍ଥିତିରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।