କଂଗ୍ରେସ ବମ୍ପର ବିଜୟରେ ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ଚର୍ଚ୍ଚା । କର୍ଣ୍ଣାଟକବାସୀଙ୍କ ମନ ଜିଣିବାରେ ସହାୟକ ହୋଇଛି ରାହୁଲଙ୍କ ‘ଭାରତ ଯୋଡ଼ ଯାତ୍ରା’ ।

247

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଚର୍ଚ୍ଚାରେ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ । କର୍ଣ୍ଣାଟକରେ ୨୧ ଦିନ ଧରି ଭାରତ ଯୋଡ଼ ଯାତ୍ରା ବେଳେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ରାହୁଲ । ଆଉ ଏହି ଯାତ୍ରା ରାହୁଲଙ୍କ ଭିତରେ ବଡ଼ ପରିବର୍ତନ ଆଣିଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ରାଲିରେ ବାରମ୍ବାର ଗରିବକୁ ପ୍ରସଙ୍ଗ କରିଥିଲେ ରାହୁଲ ଗାନ୍ଧୀ । ନିର୍ବାଚନ ଜିତିବା ମାତ୍ରକେ ରାହୁଲ ଗାନ୍ଧୀ ବଡ଼ ଘୋଷଣା କରି କହିଥିଲେ ଯେ, ପ୍ରଥମ କ୍ୟାବିନେଟରେ ୫ଟି ପ୍ରତିଶ୍ରୁତି ପୂରଣ କରିବେ । ଆସନ୍ତାବର୍ଷ ସାଧାରଣ ନିର୍ବାଚନରେ ମଧ୍ୟ ବିରୋଧୀ ଚେହେରା ଭାବେ ରାହୁଲ ନିର୍ଣ୍ଣାୟକ ଭୂମିକା ବହନ କରିବେ ବୋଲି ଚର୍ଚ୍ଚା ହେଉଛି ।

ବିଗତ ଦିନଗୁଡ଼ିକରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ ଦକ୍ଷତାକୁ ସମାଲୋଚନା କରାଯାଉଥିଲା । କିନ୍ତୁ ଆଜି ସେହି ରାହୁଲ ଗାନ୍ଧୀଙ୍କ ଭିତରେ ବହୁତ ବଡ଼ ପରିବର୍ତନ ଆସିଛି । ଗତବର୍ଷ ‘ଭାରତ ଯୋଡ଼ ଯାତ୍ରା’ରୁ ରାହୁଲଙ୍କ ଭିତରେ ଏହି ପରିବର୍ତନ ଦେଖିବାକୁ ମିଳିଥିଲା । ଏହି ଯାତ୍ରାର ପ୍ରକୃତ ଲକ୍ଷ୍ୟ କ’ଣ, ଆଉ କେତେ ସଫଳତା ଆଣିଦେବ, ଆଉ ଭୋଟରଙ୍କୁ କେତେ ଯୋଡ଼ିପାରିବ, ଏମିତି କିଛି ପ୍ରଶ୍ନ ଛିଡ଼ା ହୋଇଥିଲା । କିନ୍ତୁ ୧୫୦ ଦିନର ଏହି ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧୀଙ୍କର ଲୋକସମ୍ପର୍କ ବହୁମାତ୍ରାରେ ବୃଦ୍ଧି ପାଇଛି, ତାକୁ ଅଣଦେଖା କରିହେବନାହିଁ ।

 ‘ଭାରତ ଯୋଡ଼’ ଯାତ୍ରାର ପ୍ରଭାବ

  • ୧୫୦ ଦିନ ଚାଲିଥିଲା ‘ଭାରତ ଯୋଡ଼ ଯାତ୍ରା’
  • କନ୍ୟାକୁମାରୀରୁ ଜମ୍ମୁ-କାଶ୍ମୀର ଯାଏଁ ପ୍ରାୟ ୪ହଜାର କିଲୋମିଟର ପଦଯାତ୍ରା
  • କର୍ଣ୍ଣାଟକରେ ସର୍ବାଧିକ ୨୧ ଦିନ ଧରି ଚାଲିଥିଲା ଯାତ୍ରା
  • କର୍ଣ୍ଣାଟକର ୭ ଜିଲ୍ଲା ଅତିକ୍ରମ କରିଥିଲା ଯାତ୍ରା
  • ଏହି ଜିଲ୍ଲାଗୁଡ଼ିକରେ ୪୮ ବିଧାନସଭା ଆସନ ରହିଛି
  • ଏଥିରୁ କଂଗ୍ରେସ ୩୨ଟି ଆସନରେ ବିଜୟୀ ହୋଇଛି

କର୍ଣ୍ଣାଟକରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପାଖରେ ହରାଇବାକୁ କିଛି ନଥିଲା । ଏହା ପୂର୍ବରୁ ତାଙ୍କର ଲୋକସଭା ସଦସ୍ୟତା ଚାଲିଯାଇଥିଲା ବେଳେ ଭିନ୍ନ ଷ୍ଟ୍ରାଟେଜୀ ନେଇ ମଇଦାନକୁ ଓହ୍ଲାଇଥିଲେ । କର୍ଣ୍ଣାଟକରେ ପ୍ରତିଟି ରାଲିରେ ରାହୁଲ ଗରିବଙ୍କ କଥା ଉଠାଇଥିଲେ । ଆଉ ନିର୍ବାଚନୀ ଇସ୍ତାହାରରେ ଲୋଭନୀୟ ପ୍ରସ୍ତାବ ଜନତାଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା । ନିର୍ବାଚନ ଜିତିବା ମାତ୍ରକେ ରାହୁଲ ଗାନ୍ଧୀ ବଡ଼ ଘୋଷଣା କରି କହିଥିଲେ ଯେ ପ୍ରଥମ କ୍ୟାବିନେଟରେ ୫ଟି ପ୍ରତିଶ୍ରୁତି ପୂରଣ କରିବେ ।

  • ପ୍ରଥମଟି ହେଉଛି, ମହିଳା ଓ ବେକାରୀଙ୍କୁ ଭତ୍ତା ମିଳିବ
  • ରାତିରେ ଡ୍ୟୁଟି କରୁଥିବା ପୋଲିସକର୍ମୀଙ୍କୁ ମିଳିବ ଭତ୍ତା
  • ସମସ୍ତଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
  • ମହିଳାଙ୍କ ପାଇଁ ମାଗଣା ବସରେ ଯାତ୍ରା
  • ବିପିଏଲ୍ କାର୍ଡଧାରୀଙ୍କୁ ପ୍ରତିମାସରେ ୧୦ କିଲୋ ମାଗଣା ଚାଉଳ

କର୍ଣ୍ଣାଟକରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହ ଘନଘନ ପ୍ରଚାର କରିଛନ୍ତି । ମୋଦୀ ଏକାକୀ ୪୨ଟି ରାଲି କରିଥିବା ବେଳେ ସେଥିରୁ ୨୧ଟି ଆସନରେ ବିଜେପିକୁ ବିଜୟ ମିଳିଛି । ସେହିପରି ଅମିତ୍ ଶାହ ୩୦ଟି ରାଲି କରିଥିବା ବେଳେ ୧୧ଟିରେ ବିଜୟୀ ହୋଇଛି ବିଜେପି । ଏହା ତୁଳନାରେ ରାହୁଲ ଗାନ୍ଧୀ ମୋଟ ୨୨ଟି ରାଲି କରିଥିବା ବେଳେ ୧୬ଟି ଆସନରେ କଂଗ୍ରେସ ବିଜୟ ହୋଇଛି । ଅର୍ଥାତ୍ କର୍ଣ୍ଣାଟକରେ ମୋଦୀଙ୍କ ବିଜୟ ଷ୍ଟ୍ରାଇକରେଟ୍ ୫୦ ପ୍ରତିଶତ ରହିଥିବା ବେଳେ ଅମିତ୍ ଶାହଙ୍କର ମାତ୍ର ୩୭ ପ୍ରତିଶତ ଏବଂ ରାହୁଲଙ୍କର ୭୩ ପ୍ରତିଶତ ଷ୍ଟ୍ରାଇକରେଟ ରହିଛି ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କର୍ଣ୍ଣାକଟରେ କଂଗ୍ରେସର ବମ୍ପର ବିଜୟ ବଡ଼ ବାର୍ତ୍ତା ଦେଉଛି । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କୁ ଟକ୍କର ଦେବା ପାଇଁ ରାହୁଲ ବିରୋଧୀଙ୍କ ପାଇଁ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇପାରନ୍ତି ବୋଲି ବିଶେଷଜ୍ଞ କହିଛନ୍ତି ।