ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ : ରାଜପଥ କଡରେ ଆଉ ବିକ୍ରି ହବନି ମଦ

30

କନକ ବ୍ୟୁରୋ : ରାଜପଥ କଡ଼଼ରେ ଆଉ ବିକ୍ରି ହୋଇପାରିବନି ମଦ । ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଜାତୀୟ ଓ ରାଜ୍ୟ ରାଜପଥ କଡ଼଼ରେ ଥିବା ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ବିଚାରପତି ଟିଏସ ଠାକୁରଙ୍କ ଖଣ୍ଡପୀଠ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ରାଜପଥ କଡ଼ରେ ଥିବା ମଦ ଦୋକାନର ଲାଇସେନ୍ସ ରିନ୍ୟୁ ନକରିବା ସହ ନୂଆ ଲାଇସେନ୍ସ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ୨୦୧୭ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଡେଡ୍ ଲାଇନ ଦିଆଯାଇଛି ।

ହାଇୱେ କଡ଼ରେ ଯେପରି ମଦ ଦୋକାନର ଚିହ୍ନ ବର୍ଣ୍ଣ ନ ରହେ ଅର୍ଥାତ ସାଇନ ବୋର୍ଡ ଉପରେ ମଧ୍ୟ କଟକଣା ଲଗାଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଅତି କମରେ ରାଜପଥର ୫୦୦ ମିଟର ପରିଧି ମଧ୍ୟରେ ମଦ ଦୋକାନ କିମ୍ବା ଏହାର ସାଇନ ବୋର୍ଡ ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କୁ ଏହି ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହେଉଛି ତଦାରଖ କରିବାକୁ କୁହାଯାଇଛି । ଏହାଛଡା ଅବକାରୀ ବିଭାଗ ଅଧିକାରୀ ଓ ମୁନିସିପାଲ କର୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଦ ପିଇ ଗାଡ଼ି ଚାଳନା ରୋକିବା ଓ ରାସ୍ତା ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ ।