ବାବା ରାମଦେବଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା । ଜାରି କଲେ ନୋଟିସ୍, ହାଜର ହେବାକୁ ଦେଲେ ନିର୍ଦ୍ଦେଶ ।

146

କନକ ବ୍ୟୁରୋ: ବାବା ରାମଦେବଙ୍କ ଉପରେ ଖପ୍ପା ହେଲେ ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ଅଦାଲତ ବାବା ରାମଦେବଙ୍କ ସହିତ ପତଞ୍ଜଳିର ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ନୋଟିସ୍ ଜାରି କରିବା ସହିତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପତଞ୍ଜଳି ଆୟୁର୍ବେଦର ଏକ ଭ୍ରମାତ୍ମକ ବିଜ୍ଞାପନ ମାମଲାରେ କୋର୍ଟ ବାବା ରାମଦେବଙ୍କୁ ଏଭଳି ନୋଟିସ୍ ଜାରି କରିଛି ଆଉ ଦୁଇ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ।

ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କମ୍ପାନୀ ଏବଂ ଏମଡି ବାଲକ୍ରିଷ୍ଣନଙ୍କ ଉପରେ ଖପ୍ପା ହେଇଥିଲେ । କୋର୍ଟ ପ୍ରଥମେ ଜାରି କରିଥିବା ନୋଟିସର ଜବାବ କାହିଁକି ଦାଖଲ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ଏଥିସହ ପୁଣିଥରେ ନୋଟିସ୍ ଜାରି କରିବା ସହ କୋର୍ଟଙ୍କ ସାମ୍ନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସର୍ବୋଚ୍ଚ ଅଦାଲତ ଆଇଏମଏର ଏକ ଆବେଦନ ଉପରେ ଶୁଣାଣି କରିଥିଲେ । ଯେଉଁଥିରେ ବାବା ରାମଦେବଙ୍କ ଉପରେ ଟିକାକରଣ ଅଭିଯାନ ଏବଂ ଆଧୁନିକ ମେଡିସିନ୍ ବିରୋଧରେ ଅଭିଯାନ ଚଳାଇବାର ଅଭିଯୋଗ ହେଇଥିଲା । କୋର୍ଟ ପ୍ରଥମେ ଏହି ମାମଲାରେ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଥିଲେ । ହେଲେ ପ୍ରଥମେ ଏହାର ଉତ୍ତର ନମିଳିବାରୁ କୋର୍ଟ ପୁଣିଥରେ ନୋଟିସ୍ ଜାରି କରିଛନ୍ତି ।