ଭିକେ ପାଣ୍ଡିଆନଙ୍କ ବଡ ବୟାନ । କହିଲେ, ସରକାର ଗଠନ ପାଇଁ ବିଜେଡିକୁ ଆବଶ୍ୟକ ନାହିଁ ବିଜେପି ସହ ମେଣ୍ଟ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି ବିଜେଡି-ବିଜେପି

3,620

କନକ ବ୍ୟୁରୋ: ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବଡ ବୟାନ । ନେଟୱାର୍କ ୧୮ କନକ୍ଲେଭରେ ସାମିଲ ହୋଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଟସମ୍ୟାନ ବୋଲି କହିଛନ୍ତି ପାଣ୍ଡିଆନ୍ । ରାଜନୀତିକୁ ଛାଡି ଦୁଇ ଜଣ ଭଲ ବନ୍ଧୁ ବୋଲି ସେ କହିଛନ୍ତି । ମେଣ୍ଟ ବାବଦରେ ସେ କେବଳ କହିଛନ୍ତି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି । କିନ୍ତୁ ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି । ଓଡିଶାରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି । ବଡ କଥା ହେଉଛି ସେ କହିଛନ୍ତି, ଓଡିଶାରେ ବିଜେଡିକୁ ସରକାର ଗଢିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ । କି କେନ୍ଦ୍ରରେ ବିଜେପିକୁ ସରକାର ଗଢିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡିନପାରେ । ତେବେ ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି ।

ଭିକେ ପାଣ୍ଡିଆନ୍ କହିଛନ୍ତି ଯେ, ନବୀନଙ୍କ ସଫଳତାର ରହସ୍ୟ ହେଲା, ସେ ରାଜନୀତିକୁ ରାଜନୀତି ଭଳି ଦେଖନ୍ତିନି, ସେ ରାଜନୀତିକୁ ଲୋକଙ୍କ ସେବା ଭଳି ଦେଖନ୍ତି । ଲୋକମାନେ ମଧ୍ୟ ତାଙ୍କୁ ରାଜନୈତିକ ନେତା ଭଳି ଦେଖନ୍ତନି । ଲୋକମାନେ ତାଙ୍କୁ ତାଙ୍କର ସେବକ ବୋଲି ଭାବନ୍ତି, ସେଥିପାଇଁ ତାଙ୍କୁ ଭଲପାଆନ୍ତି । ଅନ୍ୟପଟେ, ମେଣ୍ଟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜଣେ କଣ ପାଇଁ ମେଣ୍ଟରେ ସାମିଲ ହେବ? ଜଣେ ନିର୍ବାଚନ ଜିତିବାକୁ ମେଣ୍ଟରେ ସାମିଲ ହୁଏ । ହେଲେ ଏଠାରେ ମୁଖ୍ୟମନ୍ତ୍ରୀ ବେଶ ଲୋକପ୍ରିୟ ଆଉ ସେ ଲଗାତାର ନିର୍ବାଚନ ଜିତୁଛନ୍ତି । ନବୀନ ପଟ୍ଟନାୟକଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ । ଖାଲି ସେତିକି ନୁହେଁ, ବିଜେଡିକୁ ବିଜେପିର ଆବଶ୍ୟକତା ନାହିଁ, ବିଜେପିକୁ ମଧ୍ୟ କେନ୍ଦ୍ରରେ ସରକାର ଗଢିବାକୁ ବିଜେଡିର ଆବଶ୍ୟକତା ନାହିଁ ବୋଲି ପାଣ୍ଡିଆନ୍ କହିଛନ୍ତି ।