ଏଣିକି ରହିବ ନାହିଁ କୌଣସି ବି ସମସ୍ୟା । ଯାତ୍ରୀଙ୍କ ପାଇଁ ରେଳମନ୍ତ୍ରାଳୟ ଭେଟି ଦେଲା ପୁଣି ଏକ ବଡ ସୁବିଧା

59

ଯାତ୍ରୀମାନଙ୍କର ସୁରକ୍ଷା ଏବଂ ସୁବିଧା ନିମନ୍ତେ ଭାରତୀୟ ରେଳ ମନ୍ତ୍ରାଳୟ ସବୁବେଳେ କିଛି ନା କିଛି ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଥାଏ । ଏହି ପ୍ରରିପେକ୍ଷୀରେ ରେଳ ବିଭାଗ ନିଜର କେତେକ ପ୍ରମୁଖ ଟ୍ରେନଗୁଡିକର ଯାତ୍ରୀଙ୍କ ପାଇଁ ପ୍ରତି ଘଂଟା ‘ଟ୍ରେନ୍ ଆଲର୍ଟ’ ସୁବିଧାର ଆରମ୍ଭ କରିଛି । ଯେଉଁଥିରେ ରାଜଧାନୀ, ଶତାଦ୍ଦୀ, ତେଜସ୍ ଏବଂ ଗତିମାନ ଭଳି ପ୍ରମୁଖ ଟ୍ରେନଗୁଡିକର ଯାତ୍ରୀମାନଙ୍କୁ ଏସଏମଏସ ଜରିଆରେ ଟ୍ରେନ ଷ୍ଟେସନରେ ପହଂଚିବାଠାରୁ ଆରମ୍ଭ କରି ପ୍ଲାଟଫର୍ମରେ ପହଂଚିବା ପର୍ଯ୍ୟନ୍ତ ସମସ୍ତ ଖବର ଅପଡେଟ୍ କରାଇବ ।

ରେଳ ମନ୍ତ୍ରାଳୟ ଏହି ସେବାକୁ ୩ ଡିସେମ୍ବରରୁ ୧୦୨ଟି ପ୍ରମୁଖ ଟ୍ରେନମାନଙ୍କରେ ହିଁ ଆରମ୍ଭ କରିସାରିଛି ଏବଂ ୭ ଡିସେମ୍ବର ପର୍ଯ୍ୟନ୍ତ ୨୩ ଜୋଡା ରାଜଧାନୀ, ୨୬ ଜୋଡା ଶତାଦ୍ଦୀ ତଥା ତେଜସ ଏବଂ ଦୂରଗାମୀ ତଥା ଗତିମାନ ଟ୍ରେନଗୁଡିକର ଯାତ୍ରୀଙ୍କୁ ମିଶାଇ ୩୩,୦୮,୬୩୨ଟି ଏସଏମଏସ ପଠାଇ ସାରିଛି । ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏହି ସେବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପ୍ଲାଟଫର୍ମରେ ପ୍ରମୁଖ ଟ୍ରେନାଗୁଡିକର ଯାତ୍ରୀମାନଙ୍କୁ ଷ୍ଟେସନର ଭିଡ ତଥା ଅଜଥା ଅପେକ୍ଷା କରିବାରୁ ଦୂରେଇ ରଖିବା । ସବୁଠାରୁ ବଡ କଥା ହେଲା କି ଏଥିପାଇଁ ଯାତ୍ରୀମାନଙ୍କଠାରୁ କୌଣସି ବି ଚାର୍ଜ ନିଆଯାଉନାହିଁ । ତେବେ ଆଗାମୀ ଦିନମାନଙ୍କରେ ଏହି ସେବା ଅନ୍ୟାନ୍ୟ ଟ୍ରେନମାନଙ୍କରେ ମଧ୍ୟ ଯୋଗାଇ ଦିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଏହି ସେବା ଆଧାରରେ ସର୍ବ ପ୍ରଥମେ ଯାତ୍ରୀଙ୍କୁ ସେମାନଙ୍କ ଟ୍ରେନର ପ୍ଲାଟଫର୍ମକୁ ଆସିବାର ୪ ଘଂଟା ପୂର୍ବରୁ ହିଁ ଏସଏମଏସ ପଠାଯିବ । ଏହାପରେ ଯେପର୍ଯ୍ୟନ୍ତ ଟ୍ରେନଟି ପ୍ଲାଟଫର୍ମରେ ନ ପହଂଚିଛି ସେ ପର୍ଯ୍ୟନ୍ତ ଟ୍ରେନ୍ ସଂପର୍କିତ ଖବର ଯାତ୍ରୀଙ୍କ ମୋବାଇଲକୁ ଆସୁଥିବ । ତେବେ ଏହି ସେବା ପାଇବା ପାଇଁ ହେଲେ ଯାତ୍ରୀଙ୍କୁ ରିଜର୍ଭେସନ ସ୍ଲିପରେ ନିଜର ମୋବାଇଲ ନମ୍ବର ଦେବାକୁ ପଡିବ । ତେବେଯାଇ ଏହି ସୁବିଧା ପାଇପାରିବେ ।

ବର୍ତ୍ତମାନ ଏହି ସେବା କେବଳ ରାଜଧାନୀ, ଶତାଦ୍ଦୀ, ତେଜସ ଏବଂ ଗତିମାନ ଟ୍ରେନଗୁଡିକରେ ଉପଲବ୍ଧ । ଅନ୍ୟ ମେଲ/ଏକ୍ସପ୍ରେସ ଟ୍ରେନଗୁଡିକର ଯାତ୍ରୀଙ୍କୁ ଏହି ସେବା ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ । ଏବେ ଅନ୍ୟ ମେଲ/ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କୁ କେବଳ ଟ୍ରେନ କ୍ୟାନସେଲ ହେବା, ସମୟରେ ପରିବର୍ତ୍ତନ ଅଥବା ଟ୍ରେନ ୩ ଘଂଟାରୁ ଅଧିକ ବିଳମ୍ବ ହେବା ଉପରେ ଏସଏମଏସ ପଠାଯାଉଛି ।