ଦେଶସେବାରେ ସହିଦ ହୋଇଗଲେ ଓଡ଼ିଆ ବୀର । ଝୁରୁଛନ୍ତି ପରିଜନ ଛାତିପିଟି କାନ୍ଦୁଛି ପରିବାର ।

586

କନକ ବ୍ୟୁରୋ: କୁନି କୁନି ପିଲା ସାଲ୍ୟୁଟ୍ ମାରୁଛନ୍ତି, ବନ୍ଧୁ ପରିଜନ ଶୋଭାଯାତ୍ରା କରି ସହିଦ ପୁଅର ମରଶରୀରକୁ ପାଛୋଟି ଆଣୁଛନ୍ତି । ଜନ୍ମମାଟିରେ ସହିଦ ଯବାନ କେ. ଧନୁପାତ୍ରଙ୍କ ମରଶରୀର ପହଞ୍ଚିବା ପରେ ପରେ, ତାଙ୍କ ଶେଷ ଦର୍ଶନ ପାଇଁ ଛୁଟିଛି ଜନସମୁଦ୍ରର ସୁଅ । ପ୍ରିୟ ପରିଜନଠୁ ଆରମ୍ଭ କରି ଆଖପାଖ ଗାଁର ଲୋକମାନେ ଦେଶସେବାରେ ସହିଦ ହୋଇଯାଇଥିବା ସିପାହିଙ୍କ ଶେଷଦର୍ଶନ ପାଇଁ ଧାଇଁ ଆସିଛନ୍ତି ।

ପଞ୍ଜାବ ସୀମାରେ ସହିଦ ହୋଇଯାଇଛନ୍ତି ଓଡ଼ିଆ ବୀରପୁଅ କେ. ଧନୁପାତ୍ର । ଭାରତମାତାର ସେବା କରୁ କରୁ ହଠାତ୍ ହୃଦଘାତରେ ଟଳିପଡ଼ିଲେ ଏହି ଓଡ଼ିଆ ବୀରଯବାନ । ଜନ୍ମମାଟିରେ ସହିଦ ବୀରଙ୍କ ମରଶରୀର ପହଞ୍ଚିବା ପରେ ଲୁହରେ ଭିଜିଛି ଖଲ୍ଲିକୋଟ ବ୍ଲକ ଜି ଗଣ୍ଡାପଲ୍ଲୀ ଗ୍ରାମ । ଜି ଗଣ୍ଡାପଲ୍ଲୀ ଗାଁର କେ ଧନୁ ପାତ୍ର ପ୍ରାୟ ୨୭ ବର୍ଷହେଲା ଭାରତୀୟ ବିଏସଏଫ ଯବାନ ଭାବେ କାମ କରି ଆସୁଥିଲେ । କିନ୍ତୁ ଏକ ବର୍ଷ ହେବ ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଥିଲା । ତଥାପି ସେ ମାଟିମାଆର ସୁରକ୍ଷାରୁ କେବେ ପଛଘୁଞ୍ଚା ଦେଇନଥିଲେ । ଏପରିକି ନିଜ ପରିବାର କିମ୍ବା ଜନ୍ମମାଟିକୁ ମଧ୍ୟ ଆସୁନଥିଲେ ।

ଧନୁପାତ୍ର ପଞ୍ଜାବ ଅମୃତସର ରେଜିମେଣ୍ଟରେ ଚାକିରି କରୁଥିଲେ । ଗତ ୨୭ ତାରିଖରେ ହୃଦଘାତରେ ତାଙ୍କର ମୃତ୍ୟ ହୋଇଥିବା ବେଳେ ଗତକାଲି ସହିଦ ବୀରଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଅଣାଯାଇଥିଲା । ପାଖରେ ବୀର ଯୋଦ୍ଧାଙ୍କ ମରଶରୀରକୁ ଦେଖି କୋହ ସମ୍ଭାଳି ପାରିନଥିଲେ ପରିବାରବର୍ଗ । କିଏ ଛାତିପିଟି ତ କିଏ ନିଜ ଲୋକକୁ ହରାଇବାର ଦୁଃଖରେ ଲୁହ ଝରାଉଛି ।

କେ ଧନୁପାତ୍ର ଅମର ରହେ ନାରାରେ କମ୍ପିଥିଲା ଗଣ୍ଡାପଲ୍ଲୀ ଗାଁ । ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ ସହିଦ ଧନୁପାତ୍ରଙ୍କ ଶେଷ ଦର୍ଶନ କରିଥିଲେ । ପରେ ଗାଁ ଶ୍ମଶାନକୁ ତାଙ୍କ ମରଶରୀରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦେବା ପରେ ତାଙ୍କର ଶେଷ କୃତ୍ୟ ହୋଇଥିଲା । ସତରେ ଧନୁପାତ୍ରଙ୍କ ଧର୍ଯ୍ୟ ଏବଂ ବୀରତ୍ୱର ଗାଥା ସବୁଦିନ ପାଇଁ ମନେ ରହିବ । ଯିଏ ଅସୁସ୍ଥ ଥାଇ ମଧ୍ୟ ଗୋଟେ ଦିନ ବି ଛୁଟି ନନେଇ ଦେଶସେବା କରିଥିଲେ । ମାଟିମାଆର ସୁରକ୍ଷା ପାଇଁ ଛାତିପାତି ଠିଆ ହୋଇଥିଲେ, ତାଙ୍କ ସାହସ ଏବଂ ସେବାକୁ ପ୍ରତି ସମର୍ପଣ ଭାବକୁ ଶତ ଶତ ସଲାମ ।