କାମ ଦେଲାନି ବିଜୁ ସ୍ୱାସ୍ଥ୍ୟକାର୍ଡ଼ : ଚିକିତ୍ସା ଅଭାବରୁ ଚାଲିଗଲା କ୍ୟାନସର ରୋଗୀଙ୍କ ଜୀବନ

296

କନକ ବ୍ୟୁରୋ : କାମ କଲାନି ବିଜୁ ସ୍ୱାସ୍ଥ୍ୟ କାର୍ଡ । ହୋଇପାରିଲା ନାହିଁ କର୍କଟ ରୋଗୀଙ୍କ ଚିକିତ୍ସା । ଆଉ ବିନା ଚିକିତ୍ସାରେ ଚାଲିଗଲା କର୍କଟ ରୋଗୀଙ୍କ ଜୀବନ । ମୃତକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପଙ୍କପାଳ ଗ୍ରାମର ଶତୃଘ୍ନ ଓଝା । ଚିକିତ୍ସା ପାଇଁ କଟକ ଯିବା ପୂର୍ବରୁ ଶତୃଘ୍ନଙ୍କ ପ୍ରାଣବାୟୁ ଉଡ଼ିଗଲା । ଶତୃଘ୍ନଙ୍କ ପତ୍ନୀ ତୃପ୍ତିମୟୀ ମଧ୍ୟ ସ୍ତନ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ପତ୍ନୀ କକର୍ଟ ରୋଗରେ ପୀଡ଼ିତ ଥିବା ଜାଣିବା ପରେ ରାଜ୍ୟ ବାହାରେ ଦାଦନ ଖଟୁଥିବା ଶତୃଘ୍ନ ଘରକୁ ଚାଲିଆସିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରି ପତ୍ନୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ କେଉଁଠି ବି ତାଙ୍କୁ ସୁବିଧା ମିଳିନଥିଲା । ଏହାର କିଛି ଦିନ ପରେ ଶତୃଘ୍ନ ମଧ୍ୟ ମୁଖ ଗହ୍ୱର କକର୍ଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ନିଜ ପାଇଁ ମଧ୍ୟ ଏହି କାର୍ଡ ବ୍ୟବହାର କରିବାକୁ ଯାଇ କୌଣସି ସୁବିଧା ପାଇନଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ଏକ ଫାଉଣ୍ଡେସନର ସହାୟତାରେ ଜିଲ୍ଲାପାଳଙ୍କ ନିକଟରେ ସହାୟତା ପାଇଁ ନିବେଦନ କରିଥିଲେ ।

ଯାହା ପରେ କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ତାଙ୍କର ଚିକିତ୍ସା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଚିକିତ୍ସା ପାଇଁ କଟକ ଯିବା ପୂର୍ବରୁ ଶତୃଘ୍ନଙ୍କ ଦେହାନ୍ତ ହୋଇଛି । ତେବେ ଶତୃଘ୍ନଙ୍କ ମୃତ୍ୟୁ ଓ ତାଙ୍କ ପତ୍ନୀଙ୍କ ଅବସ୍ଥା ଏବେ ବିଜୁ ସ୍ୱାସ୍ଥ୍ୟ କାର୍ଡର ଉପଯୋଗିତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।