ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ। ତଦନ୍ତ ପାଇଁ ୯୦ ଜଣିଆ କମିଟି ଗଠନ। 

236

କନକ ବ୍ୟୁରୋ:  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ନିର୍ବାଚନୀ ପ୍ରଚାର ସମୟରେ ନାରା ସହରରେ ଏକ ସଭାକୁ ସମ୍ବୋଧନ କରୁଥିବା ବେଳେ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ କେମିତି ଘଟିଲା ଏବଂ ଏହା ପଛର ଅସଲ କାରଣ କ’ଣ, ତାର ତଦନ୍ତ ପାଇଁ ଜାପାନ ସରକାର ୯୦ ଜଣିଆ କମିଟି ଗଠନ କରିଛନ୍ତି । ପୋଲିସର କହିବା ଅନୁସାରେ, ଆବେଙ୍କ ନାରା ଗସ୍ତ ନେଇ ପୂର୍ବଦିନ ସନ୍ଧ୍ୟାରେ ଆତତାୟୀକୁ ଖବର ମିଳିସାରିଥିଲା । ଆଉ ହତ୍ୟାକାରୀ ସୁଯୋଗର ଫାଇଦା ଉଠାଇ ଆବେଙ୍କ ଉପରକୁ ଗୁଳି ଚଳାଇଥିଲା ।

ପ୍ରଶ୍ନ ଉଠୁଛି, ପୂର୍ଣ୍ଣ ସୁରକ୍ଷା ଭିତରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ କେମିତି ହତ୍ୟା କରାଗଲା? ଅନ୍ୟପକ୍ଷରେ ପୁଲିସ୍ କହିଛି ଯେ ଆବେଙ୍କ ସଭାସ୍ଥଳର ସୁରକ୍ଷା ଯାଞ୍ଚ କରାଯିବ ଏବଂ କେଉଁଠି ଭୁଲ୍ ରହିଲା, ତା’ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ।

ଏହାରି ଭିତରେ ଘଟଣାସ୍ଥଳରୁ ଗିରଫ ହୋଇଥିବା ୪୧ ବର୍ଷୀୟ ଅଭିଯୁକ୍ତ ୟାମାଗାମୀ ତେତସୁୟା ସିଂଜୋ ଆବେଙ୍କୁ ଗୁଳି କରିଥିବା ସ୍ୱୀକାର କରିଛି । କୌଣସି ଏକ ଧାର୍ମିକ ସଂଗଠନକୁ ୟାଗାୟାମୀ ତୀବ୍ର ବିରୋଧ କରୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଆଉ ଏହି ଧାର୍ମିକ ସଂଗଠନ ସହ ସିଂଜୋ ଆବେଙ୍କର ସଂପୃକ୍ତି ମଧ୍ୟ ରହିଥିଲା । ତେବେ ତଦନ୍ତ ବେଳେ ଉକ୍ତ ଧାର୍ମିକ ସଂଗଠନର ନେତାଙ୍କର ପରିଚୟ ଉଜାଗର କରାଯାଇନାହିଁ । ୟାମାଗାମୀ ପୋଲିସକୁ ଆହୁରି କହିଛି ଯେ ତା’ର ମାଆ ମଧ୍ୟ ସଂଗଠନରେ ସାମିଲ ଥିଲା ଏବଂ ସଂଗଠନକୁ ପ୍ରଚୁର ଅର୍ଥଦାନ କରିଥିଲେ । ଯାହା ତାଙ୍କ ପରିବାର ପାଇଁ ସମସ୍ୟା ସୃଷ୍ଟି କରିଥିଲା । ପୁଲିସ୍ ୟାମାଗାମୀଙ୍କ ଘରେ ଚଢ଼ାଉ କରିଛି ଏବଂ ତା’ ଘରୁ ବିସ୍ଫୋରକ ଜବତ କରିଛି ।

ଆବେଙ୍କ ହତ୍ୟାକାରୀ ୟାମାଗାମୀ ଜାପାନ ନୌସେନା ତଥା ଜାପାନର ସାମୁଦ୍ରିକ ପ୍ରତିରକ୍ଷା ବାହିନୀର ଜଣେ ପୂର୍ବତନ ସଦସ୍ୟ ଭାବେ ୩ ବର୍ଷ କାମ କରିଛନ୍ତି । ଆବେଙ୍କୁ ଗୁଳି କରିବା ପରେ ସେ ସେଠାରୁ ଖସିବାକୁ ରାସ୍ତା ପାଇନଥିଲା ।