ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁରେ କାନ୍ଦୁଛି ପଞ୍ଜାବ। ଅନ୍ତିମଦର୍ଶନ ପାଇଁ ଛୁଟିଲା ପ୍ରଶଂସକଙ୍କ ସୁଅ।

126

କନକ ବ୍ୟୁରୋ: କିଏ ନିଜର କୋହକୁ ଅଟକାଇ ପାରୁନି ତ ପୁଣି କିଏ ଭାବନାକୁ ମନରେ ଚାପି କହୁଛି ସିଦ୍ଧୁ ମୁସେୱାଲା ଅମର ରହେ । କିଏ ନିଜ ପ୍ରିୟ ଗାୟକଙ୍କ ଶେଷ ଝଲକ ଟିକେ ଦେଖିବା ପାଇଁ ରାତି ରାତି ଅନିଦ୍ରା ହୋଇ ଜଗି ରହିଥିଲା ତ ପୁଣି କିଏ ଶହ ଶହ କିଲୋମିଟର ଦୂର ରାସ୍ତା ଅତିକ୍ରମ କରି ସିଦ୍ଧୁଙ୍କ ଅନ୍ତିମ ସଂସ୍କାର ସ୍ଥାନରେ ଆସିପହଁଥିଲେ । ମଙ୍ଗଳବାର ପୈତୃକବାସସ୍ଥଳୀ ମୁସାରେ ଏଭଳି କିଛି ଭାବ ବିହ୍ୱଳ ପରିବେଶ ମଧ୍ୟରେ ସିଦ୍ଧୁ ମୁସେୱାଲାଙ୍କୁ ଶେଷ ବିଦାୟ ଦିଆଯାଇଛି ।

ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାର ତାଙ୍କ ଜନ୍ମସ୍ଥାନ ମନସାଠାରେ ସମ୍ପୂର୍ଣ୍ଣ ହୋଇଛି । ଏହି ଅବସରରରେ ତାଙ୍କ ଶେଷ ଦର୍ଶନ ପାଇଁ ଶହ ଶହ ପ୍ରଶଂସକଙ୍କ ଏକାଠି ହୋଇଥିଲେ । ସିଦ୍ଧୁଙ୍କ ପାର୍ଥିବ ଶରୀରକୁ ବିଶାଳ ଶୋଭାଯାତ୍ରା ସହ ଅଣାଯାଇ ଶିଖ ରିତିନୀତି ଅନୁଯାୟୀ ଅନ୍ତିମସଂସ୍କାର କରାଯାଇଛି । ଶବବ୍ୟବଚ୍ଚେଦ ପରେ ମଙ୍ଗଳବାର ପରିବାରକୁ ସିଦ୍ଧୁଙ୍କ ପାର୍ଥିବ ଶରୀର ହସ୍ତାନ୍ତର କରାଯାଇଥିଲା । ରିପୋର୍ଟରେ କୁହାଯାଇଛି କି ସିଦ୍ଧୁଙ୍କ ଶରୀର ଅଧିକାଂଶ ଅଂଶରେ ଗୁଳିମାଡରେ ନଷ୍ଟ ହୋଇଯାଇଛି । ମୋଟ ୨୪ଟି ଗୁଳିମାଡ ଦାଗ ରହିଛି । ଅତ୍ୟଧିକ ରକ୍ତସ୍ରାବ ଅବସ୍ଥାରେ ସିଦ୍ଧୁଙ୍କ ଡାକ୍ତରଖାନାକୁ ଅଣାଯିବା ପରେ ସେଠାରେ ତାଙ୍କ ମୃତଘୋଷଣା କରାଯାଇଥିଲା ।

ମେ ୨୯ ତାରିଖରେ ନିର୍ମମ ହତ୍ୟାର ଶିକାର ହୋଇଥିଲେ ସିଦ୍ଧୁ ମୁସେୱାଲା । ଘଟଣାକୁ ନେଇ ପଞ୍ଜାବ ସମେତ ପୂରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି । ଅନ୍ୟପଟେ ପୋଲିସର ତଦନ୍ତ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖୁଲାସା କରୁଛି । ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲଡ ବରାର ନିଜକୁ ଦାୟୀ କରିଛି । ଏଥିସହ ତିହାଡ ଜେଲରେ ଥିବା ସହଯୋଗୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ହତ୍ୟା ଷଡଯନ୍ତ୍ର ଜେଲରୁ ବସି ରଚିଥିବା ସୂଚନା ମିଳିବାପରେ ଜୋରଦାର ଛାନଭିନ ଆରମ୍ଭ କରିଛନ୍ତି ଉଭୟ ପଞ୍ଜାବ ଓ ଦିଲ୍ଲୀ ପୋଲିସ ।