ସିଦ୍ଧାର୍ଥ ଶୁକ୍ଳାଙ୍କ ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ : ଜାଣନ୍ତୁ ରିପୋର୍ଟରେ କ’ଣ ରହିଛି ଉଲ୍ଲେଖ ?

ଶରୀରର ଭିତରେ ଓ ବାହାରେ ନାହିଁ କୌଣସି ଆଘାତର ଚିହ୍ନ; ମୃତ୍ୟୁର କାରଣ ଜାଣିବା ପାଇଁ ହେବ ହିଷ୍ଟୋପାଥୋଲୋଜି ଷ୍ଟଡି ଓ କେମିକାଲ ଆନାଲିସିସ୍

4,967

କନକ ବ୍ୟୁରୋ : ସିଦ୍ଧାର୍ଥ ଶୁକ୍ଳାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶରୀର ଭିତରେ ଓ ବାହାରେ ନାହିଁ କୌଣସି ଆଘାତର ଚିହ୍ନ । ମୃତ୍ୟୁର କାରଣ ଜାଣିବା ପାଇଁ, ହେବ ହିଷ୍ଟୋପାଲୋଜି ଷ୍ଟଡି ଓ କେମିକାଲ ଆନାଲିସିସ୍ । ଭିସେରାକୁ ସୁରକ୍ଷିତ ରଖାଯିବ । କୁପର ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ସିଦ୍ଧାର୍ଥ ଶୁକ୍ଳାଙ୍କ ଶବ ବ୍ୟବଛେଦ କରିଥିଲେ । ଗତକାଲି ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ରାତି ପ୍ରାୟ ୩ଟାରୁ ସାଢ଼େ ୩ଟା ଭିତରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ନେଇ ସିଦ୍ଧାର୍ଥ ତାଙ୍କ ମାଙ୍କୁ ଜଣାଇଥିଲେ । ମା’ ପିଇବାକୁ ପାଣି ଦେଇଥିଲେ । ଆଉ ଶୋଇଯିବାକୁ କହିଥିଲେ । ହେଲେ ସକାଳୁ ଆଉ ଉଠିନଥିଲେ ସିଦ୍ଧାର୍ଥ ।

ସିଦ୍ଧାର୍ଥଙ୍କ ମା ଡାକିଲେ ବି ସେ ଆଉ ଶୁଣିନଥିଲେ । ତାପରେ ତାଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ ମା । ଡାକ୍ତରଙ୍କୁ ବି ଫୋନ କରିଥିଲେ । ଡାକ୍ତର ଦେଖିବା ପରେ ତୁରନ୍ତ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ । ତାପରେ ସକାଳ ୯ଟା ୪୦ରେ ସିଦ୍ଧାର୍ଥଙ୍କୁ ଆମ୍ବୁଲାନ୍ସ ଯୋଗେ କୁପର ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ, ୧୦ଟା ୧୫ରେ ଡାକ୍ତର ସିଦ୍ଧାର୍ଥଙ୍କୁ ମୃତ ଘୋଷଣା କରିଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁରେ ମୁମ୍ବାଇ ଟିଭି ଇଣ୍ଡଷ୍ଟ୍ରୀ ଏକ ପ୍ରକାର ସ୍ତବ୍ଧ ହୋଇ ଯାଇଛି ।

କିଛି ସମୟ ପରେ ସିଦ୍ଧାର୍ଥ ଶୁକ୍ଳାଙ୍କ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଆଜି ହେବ ତାଙ୍କର ଅନ୍ତିମ ସଂସ୍କାର । ଏପଟେ ସିଦ୍ଧାର୍ଥ ଶୁକ୍ଳାଙ୍କ ଶେଷ କୃତ୍ୟରେ ସାମିଲ ହୋଇଛନ୍ତି ବହୁ ଜଣାଶୁଣା ସେଲିବ୍ରେଟି । ଅଭିନେତ୍ରୀ ଏକ୍ତା କାପୁର ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଅଗଷ୍ଟା ରାୟର କାହାଣୀ ଏପରି ଶେଷ ହୋଇ ଯିବ ବୋଲି ମୁଁ କେବେ ଭାବି ନ ଥିଲି । ସେହିପରି ଅଭିନେତ୍ରୀ ପାରସ ଚାବ୍ରା ସିଦ୍ଧାର୍ଥଙ୍କୁ ଆଲିଙ୍ଗନ କରୁଥିବା ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୋର ଇଛା ହେଉଛି ତୁମକୁ ଆଲିଙ୍ଗନ କରିବାକୁ ଏବଂ ତୁମକୁ ଜମା ଯିବାକୁ ଦେବିନି ।