କଂଗ୍ରେସର ହଟ୍ଟଗୋଳ, ଗୃହ ଅଚଳ । ମୋହନ କହିଲେ, ଗୃହ ଚଲାଇ ନଦେବାକୁ କଂଗ୍ରେସ-ବିଜେଡି ମଧ୍ୟରେ ହୋଇଛି ଡିଲ୍ ।

177

କନକ ବ୍ୟୁରୋ : ଆଜି ବି ଅଚଳ ହେଲା ବିଧାନସଭା । ଗୃହ ଆରମ୍ଭରୁ କଂଗ୍ରେସ ଷ୍ଟାଫ୍୍ ସିଲେକ୍ସନ୍ ଦୁର୍ନୀତି କଥା ଉଠାଇ ହୋ ହାଲ୍ଲା ଆରମ୍ଭ କରିବାରୁ ମାତ୍ର କେଇ ସେକେଣ୍ଡ ମଧ୍ୟରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି । ତେବେ ଏହି ଘଟଣା ପରେ ବିଜେପି,  କଂଗ୍ରେସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ଦଳ କହିଛି, ମାହାଙ୍ଗା ଡ଼ବଲ ମର୍ଡ଼ର ପ୍ରସଙ୍ଗ ବଦଳାଇବା ପାଇଁ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଛି । ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, କଂଗ୍ରେସ ଜାଣିଛି ଯେ, ଏହା ବିଜେଡ଼ିକୁ ସୁହାଇବ ଏବଂ ମାହାଙ୍ଗା ହତ୍ୟା ଘଟଣା ଉପରେ ବିଧାନସଭାରେ ଆଲୋଚନା ହୋଇପାରିବ ନାହିଁ । ଜାଣିଶୁଣି କଂଗ୍ରେସ ଓ ବିଜେଡ଼ି ଏଭଳି ଏକ ଡ଼ିଲ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

କେବଳ ଏତିକି ନୁହେଁ ମୋହନ କହିଛନ୍ତି, ଆଜି ଗୃହ ନ ଚାଲିବା ମ୍ୟାଚ୍ ଫିକ୍ସିଂ ଭଳି । ଗତକାଲି ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ ହୋଇଛି, ଭିତିରି ବୁଝାମଣା ହୋଇଛି । ମାହାଙ୍ଗା ମର୍ଡର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡିଥାନ୍ତେ । ଏପରିକି ଆଇନଶୃଙ୍ଖଳା ପ୍ରସଙ୍ଗ ଉପରେ ଆଲୋଚନା ସରିଥିଲେ ଷ୍ଟାଫ ସିଲେକ୍ସନ କେଳେଙ୍କାରୀ ବାବଦରେ ଗୃହରେ ଆଲୋଚନା ହୋଇଥାନ୍ତା । କିନ୍ତୁ କଂଗ୍ରେସ ଯେଉଁଭଳି ପ୍ରଥମରୁ ଗୃହ ଭିତରେ ହଟ୍ଟଗୋଳ କଲା ତାହା ସରକାରୀ ଦଳକୁ ସୁହାଇଲଲା । ଓଡ଼ିଶା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଓ ରାଜ୍ୟ ସରକାର ଆଗେଇ ଆସି ଆଲୋଚନା କରିବାକୁ ଚାହୁଁନାହାନ୍ତି ।  ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା । ଆଇନଶୃଙ୍ଖଳା ଓ ମାନବବାଦୀ ମାନସ ଦାସଙ୍କ ପଲଟିକାଲ ଲିଙ୍କ୍ ବାବଦରେ ଆଲୋଚନା ହୋଇଥାନ୍ତା । କିନ୍ତୁ ଏହା ସମ୍ଭବପର ହୋଇପାରିଲାନି । ବାଚସ୍ପତି ମଧ୍ୟ ଅଗଣତାନ୍ତ୍ରିକ ପଦ୍ଧତିରେ ବିଧାନସଭାକୁ ବନ୍ଦ କଲେ  । ନିରପେକ୍ଷତା ନରଖି ଅନ୍ୟାୟ କରୁଛନ୍ତି, ରାଜ୍ୟ ସରକାରଙ୍କ କଥାରେ କଂଗ୍ରେସକୁ ନେଇ ବିଧାନସଭାକୁ ଅଚଳ କରିଛନ୍ତି ବାଚସ୍ପତି ।