କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୫ ଓଡିଆ ମନୋନୀତ

147

କନକ ବ୍ୟୁରୋ : ଓଡ଼ିଶାର ୫ଜଣ କଳାକାର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇବେ । ସଙ୍ଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବାରୁ ୫ ଓଡିଆ ପୁରସ୍କୃତ ହେବାକୁ ଯାଉଛନ୍ତି । ୨୦୨୦ ପାଇଁ ଓଡ଼ିଶୀ ନୃତ୍ୟରେ ରବୀନ୍ଦ୍ର ଅତିବୁଦ୍ଧି ଓ ‘ଛଉ ନୃତ୍ୟ’ରେ ତ୍ରିଲୋଚନ ମହାନ୍ତି ଏବଂ ୨୦୨୧ ପାଇଁ ସୁଗମ ସଙ୍ଗୀତ କ୍ଷେତ୍ରରେ ସୁସ୍ମିତା ଦାସ, ନୃତ୍ୟ ସଂଗୀତରେ ବିଜୟ କୁମାର ଜେନା ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ମନୋଜ ପଟ୍ଟନାୟକଙ୍କ ନାମ ଅକାଦେମି ପୁରସ୍କାର ପାଇଁ ଘୋଷଣା କରାଯାଇଛି ।

ଏ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ପୁରସ୍କୃତ କରିବେ । ପୁରସ୍କାର ବାବଦକୁ ସେମାନଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ର ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯିବ । ତେବେ ଅକାଦେମି ପକ୍ଷରୁ ବିଭିନ୍ନ ରାଜ୍ୟର ୧୦ଜଣ ବ୍ୟକ୍ତିବିଶେଷଙ୍କୁ ଫେଲୋସିପ୍‌ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶା‌ରୁ କୌଣସି ବ୍ୟକ୍ତିବିଶେଷ ଏଥିରେ ସ୍ଥାନ ପାଇନାହାନ୍ତି ।

ସେହିଭଳି କଳା କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ଦେଶରୁ ୧୦୨ଜଣଙ୍କୁ ‘ଉସ୍ତାଦ୍‌ ବିସ୍‌ମିଲା ଖାନ୍‌’ ଯୁବ ପୁରସ୍କାର ପ୍ରଦାନ କରାଯିବ । ଏଥିରେ ଓଡ଼ିଶାରୁ ୫ଜଣ ବ୍ୟକ୍ତିବିଶେଷ ମନୋନୀତ ହୋଇଛି । ୨୦୧୯ ପାଇଁ ‘ଛଉ ନୃତ୍ୟ’ରେ ବିଶ୍ବନାଥ କୁମ୍ଭକାର, ‘ପ୍ରହଲାଦ ନାଟକ’ ପାଇଁ ସନ୍ତୋଷ ରଣା, ୨୦୨୦ ପାଇଁ ‘ଓଡ଼ିଶୀ ସଙ୍ଗୀତ’ରେ ରୂପକ କୁମାର ପରିଡ଼ା, ‘ଓଡ଼ିଶୀ ନୃତ୍ୟ’ ପାଇଁ ପ୍ରଭାତ ସ୍ବାଇଁ, ‘କୁଚିପୁଡ଼ି ନୃତ୍ୟ’ ପାଇଁ ଅଭିଜିତ୍‌ ଦାସଙ୍କୁ ଚୟନ କରାଯାଇଛି । ଏହି ବର୍ଗରେ ୨୦୨୧ପାଇଁ ଓଡ଼ିଶାରୁ କେହି ମନୋନୀତ ହୋଇନାହାନ୍ତି ।

ନୂଆଦିଲ୍ଲୀଠାରେ ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ୬ରୁ ୮ ତାରିଖ ମଧ୍ୟରେ ଏହି ବୈଠକ ବସିଥିଲା । ଏହି ପୁରସ୍କାର ପାଇବା ପାଇଁ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ନିମନ୍ତେ ମୋଟ୍ ୧୨୮ ଜଣ କଳାକାରଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି । ମନୋନୀତ କଳାକାରମାନଙ୍କୁ ୪ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯିବ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ ।