ସମ୍ବଲପୁର ଟ୍ରିପଲ ମର୍ଡରର ଖୋଲୁନି ରହସ୍ୟ: ମାଆ ଓ ଦୁଇ ପିଲାଙ୍କୁ କିଏ କଲା ହତ୍ୟା, ୨ ଦିନ ପରେ ବି ଅଭିଯୁକ୍ତ ପାଖରେ ପହଁଚି ପାରୁନି ପୁଲିସ

216

କନକ ବ୍ୟୁରୋ: ସମ୍ବଲପୁର ଟ୍ରିପଲ ମର୍ଡର ଘଟଣାକୁ ଏହା ଭିତରେ ଦୁଇ ଦିନ ବିତିଲାଣି । ହେଲେ, କିଏ ଓ କାହିଁକି ମାରିଲା? ତାହା ଏବେ ବି ରହସ୍ୟରେ ରହିଛି । ସମ୍ବଲପୁର ପୋଲିସ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ କରୁଥିଲେ ବି ହତ୍ୟାକାରୀ ପାଖରେ ପହଁଚି ପାରିନି । ହତ୍ୟାର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ କରିନି । ଯାହା ମାମଲାକୁ ଆହୁରି ରହସ୍ୟମୟ କରି ଦେଇଛି । ତେବେ ସମ୍ବଲପୁର ଏସପି କହିଛନ୍ତି, ଖୁବଶ୍ରୀଘ୍ର ଅଭିଯୁକ୍ତ ଧରାପଡିବ । ସନ୍ଦିଗ୍ଧକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯାଇଛି ।

  • ରହସ୍ୟରେ ସମ୍ବଲପୁର ଟ୍ରିପଲ ମର୍ଡର
  • ୨ଦିନ ପରେ ବି ପୋଲିସ ହାତ ଖାଲି

ଶନିବାର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳର ଏକ ବନ୍ଦ ଘରୁ ମା’ ସହ ୨ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାୟ ୪ଦିନ ବନ୍ଦ ରହିଥିଲା ଘର । ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଖୋଲିଥିଲା ପୋଲିସ ।

ତାଲା ଖୋଲିବା ପରେ, ଚାଦରରେ ଢ଼ଙ୍କା ଯାଇଥିବା ମାଆ ସାଜିଆ ପରବିନ୍ ଓ ତାଙ୍କର ୮ବର୍ଷର ପୁଅ ଓ ୬ବର୍ଷର ଝିଅର ମୃତଦେହ ପଡିଥିବା ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ୨ବର୍ଷ ତଳେ ମୃତ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ତେବେ କିଛି ଦିନ ହେଲା ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ମା’ ସହ କୁନି କୁନି ଦୁଇ ଶିଶୁଙ୍କ ବିଭତ୍ସ ଭାବେ ହତ୍ୟା କରିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।