ବିଧାୟକ ଭାବେ ଶପଥ ନେଲେ ଦୀପାଳି ଦାସ: ନୂଆ ବାଚସ୍ପତି ଓ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ବଢିଲା ଚର୍ଚ୍ଚା

436

କନକ ବ୍ୟୁରୋ: ବାପାଙ୍କ ରେକର୍ଡକୁ ଭାଙ୍ଗି ଝାରସୁଗୁଡାରେ ବିଜୟ ହେବା ପରେ ବିଧାୟିକା ବନିଛନ୍ତି ଦୀପାଳି । ଝାରସୁଗୁଡାର ନବ-ନିର୍ବାଚିତ ବିଧାୟିକା ଭାବେ ସେ ଶପଥ ନେଇଛନ୍ତି । ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଉ ନୂଆ ଦାୟିତ୍ୱ ପାଇବା ପରେ ବାପାଙ୍କ ସ୍ୱପ୍ନକୁ ମନେପକାଇଥିଲେ । ଶପଥ ନେବା ପରେ ଦୀପାଳି କହିଛନ୍ତି, ସବୁବେଳେ ଝାରସୁଗୁଡ଼ାବାସୀଙ୍କ ସେବା କରିବେ ।

ଅନ୍ୟପଟେ ବାଚସ୍ପତି ଓ ୨ ମନ୍ତ୍ରୀଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ସେଇ ଗୋଟିଏ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇ ରହିଛି । ଖାଲି ପଡିଥିବା ୩ଟି ମନ୍ତ୍ରୀପଦରେ କାହାକୁ ଅବସ୍ଥାପିତ କରିବେ ନବୀନ । ଚର୍ଚ୍ଚାର ଆଗରେ ରହିଛି ଦୀପାଳି ଦାସଙ୍କ ନାଁ । ବାପାଙ୍କ ଦେହାନ୍ତ ପରେ ଖାଲି ପଡିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଦୀପାଳିଙ୍କୁ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପଶ୍ଚିମଓଡିଶାର କିଛି ଟାଣୁଆ ନେତାଙ୍କୁ ପୁରସ୍କୃତ କରିବା ନେଇ ଚର୍ଚ୍ଚା ହେଉଛି । ପୁଣି ଗଣଶିକ୍ଷା ଓ ଶ୍ରମମନ୍ତ୍ରୀ ପଦ ଗଂଜାମ ଜିଲ୍ଲାକୁ ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

  • ନୂଆ ମନ୍ତ୍ରୀମଣ୍ଡଳରେ କିଏ?
  • କାହାକୁ ମିଳିବ ୩ଟି ବିଭାଗର ମନ୍ତ୍ରୀ ପଦ?

ଶୁକ୍ରବାର ଅଚାନକ ବାଚସ୍ପତି ଓ ଦୁଇମନ୍ତ୍ରୀଙ୍କ ଇସ୍ତଫା ପରେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । କାହାକୁ ମିଳିବ ବାଚସ୍ପତି ପଦ ଓ କିଏ ପାଇବ ୩ଟି ବିଭାଗର ମନ୍ତ୍ରୀ ପଦ? ଚର୍ଚ୍ଚା ଅନୁସାରେ, ବିଧାୟିକା ଦୀପାଳି ଦାସଙ୍କୁ ମିଳିପାରେ ମନ୍ତ୍ରୀ ପଦ । ଝାରସୁଗୁଡା ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ପୁରସ୍କୃତ କରିପାରନ୍ତି ବିଜେଡି ସୁପ୍ରିମୋ । ତାଙ୍କୁ ମିଳିପାରେ ମନ୍ତ୍ରୀପଦ । ସେହିଭଳି ପଶ୍ଚିମ ଓଡିଶାର ଟାଣୁଆ ସଂଗଠକ ସୁଶାନ୍ତ ସିଂହଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ ।

  • ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ କିଏ ହେବ ମନ୍ତ୍ରୀ?
  • ୨ଜଣଙ୍କୁ ମିଳିପାରେ ମନ୍ତ୍ରୀପଦ

ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗଞ୍ଜାମ ଜିଲ୍ଲାର ଦବଦବା ରହିଛି । ଜିଲ୍ଲାରୁ ଭଂଜନଗର ବିଧାୟକ ବାଚସ୍ପତି ହୋଇଥିବା ବେଳେ ଚିକିଟି ବିଧାୟିକା ଉଷାଦେବୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ଥିଲେ । ଏବେ ବିକ୍ରମ ଆରୁଖ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଉଷାଦେବୀ ହିଁ ମନ୍ତ୍ରୀ ଅଛନ୍ତି । ତେଣୁୁ ଗଂଜାମକୁ ମନ୍ତ୍ରୀପଦ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ଜିଲ୍ଲାର ୨ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ମିଳିପାରେ । ଆଉ ରେସରେ ଆଗରେ ଅଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ବିକ୍ରମ କେଶରୀ ଆରୁଖ ।

ଅନ୍ୟପଟେ ବାଚସ୍ପତି ରେସରେ ୩ ବରିଷ୍ଠ ବିଧାୟକଙ୍କ ନାଁ ଚର୍ଚ୍ଚାରେ ରହିଛି । ସେମାନେ ହେଲେ ଦେବୀ ମିଶ୍ର, ଅମର ଶତପଥୀ ଓ ପ୍ରଫୁଲ ସାମଲ । ତେବେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କେବେ ହେବ ଓ କିଏ ସାମିଲ ହେବ ସେ ନେଇ କିଛି ବି ସ୍ପଷ୍ଟ ସଙ୍କେତ ମିଳିନାହିଁ । ସେପଟେ କିଛି ବିଧାୟକ ଦୁବାଇ ଗସ୍ତରେ ଯାଇଛନ୍ତି ଏବଂ ରାଜ୍ୟପାଳ ରାଜ୍ୟ ବାହାରେ ଥିବାରୁ ତାଙ୍କ ଆଗମନକୁ ଅପେକ୍ଷା କରାଯାଇଛି ।