୨୦୨୪ରେ ବି ଆଇପିଏଲ ଖେଳିବେ ଧୋନୀ! ସିଏସକେ ସିଇଓ ଦେଲେ ବଡ ଅପଡେଟ୍

389

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ ୨୦୨୩ । ଆଉ ଅଳ୍ପ କେଇଟା ଲିଗ୍ ମ୍ୟାଚ ପରେ ଆରମ୍ଭ ହେବ ଫାଇନାଲ ପାଇଁ ଲଢେଇ । ଆଉ ଏହାରି ଭିତରେ ଚେନ୍ନାଇ ସୁପର କିଙ୍ଗସର ଫ୍ୟାନମାନଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲକୁ ଅଲବିଦା କହିବେ ନାହିଁ । ସିଏସକେ ସିଇଓ କାଶୀ ବିଶ୍ୱନାଥ ଧୋନୀଙ୍କ ଆଗାମୀ ଆଇପିଏଲକୁ ନେଇ ଆଶା ରଖିଛନ୍ତି ।

ଚେନ୍ନାଇ ଚଳିତ ଆଇପିଏଲର ଶେଷ ଘରୋଇ ମ୍ୟାଚ କୋଲକାତା ବିରୋଧରେ ଚେମ୍ପକ ଷ୍ଟାଡିୟମରେ ଖେଳିଥିଲା । ଏହି ମ୍ୟାଚ ଶେଷ ହେବା ପରେ ମହେନ୍ଦ୍ର ସିଂ ଧୋନୀ ପୂରା ଷ୍ଟାଡିୟମର ଚକ୍କର ଲଗାଇଥିଲେ । ଆଉ ସାଇନ କରିଥିବା ବଲ ଫ୍ୟାନମାନଙ୍କୁ ଦେଇଥିଲେ । କେବଳ ସେତିକି ନୁହେଁ ଧୋନୀ ସୁନୀଲ ଗାଭାସ୍କରଙ୍କୁ ମଧ୍ୟ ନିଜ ଅଟୋଗ୍ରାଫ ଦେଉଥିବାର ନଜର ଆସିଥିଲେ । ଆଉ ଏହାକୁ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଏହା ଧୋନୀଙ୍କ ଶେଷ ସିଜିନ । ହେଲେ ସିଏସକେ ସିଇଓ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଆମେ ଆଶା କରୁଛୁ ଧୋନୀ ଆଗାମୀ ଆଇପିଏଲ ବି ଖେଳନ୍ତୁ ।

ଚଳିତ ସିଜିନ ଆରମ୍ଭରୁ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ହୋଇଥିଲା । ହେଲେ ସିଜିନ ମଝିରେ ଏହାର ଉତ୍ତର ରଖି ସମସ୍ତଙ୍କୁ ଚମକାଇ ଦେଇଥିଲେ ଧୋନୀ । ଏକ ମ୍ୟାଚର ଟସ୍ ବେଳେ ଟିଭି ଉପସ୍ଥାପକ ଡେନି ମୋରିସନ ତାଙ୍କୁ ପଚାରିଥିଲେ କି ଆପଣଙ୍କୁ ଆପଣଙ୍କ ଶେଷ ଆଇପିଏଲ ଖେଳି କେମିତି ଲାଗୁଛି । ଧୋନୀ ଏହାର ଉତ୍ତର ଦେଇ କହିଥିଲେ ଏହା ଆପଣ ଭାବୁଛନ୍ତି, ହେଲେ ମୁଁ ଭାବିନି । ତେବେ ପ୍ରଥମେ ଧୋନୀ ଓ ପରେ ସିଇଓଙ୍କ ଏଭଳି ବୟାନ ଫ୍ୟାନମାନଙ୍କ ଖୁସିକୁ ବଢାଇ ଦେଇଛି । ୨୦୨୪ ଆଇପିଏଲରେ ବି ଧୋନୀଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ଫ୍ୟାନମାନେ ଅପେକ୍ଷା କରିବେ ।

ଆଇପିଏଲର ଏହି ସିଜିନ ଧୋନୀଙ୍କ ପାଇଁ ବେଶ ଭଲ ରହିଛି । ଶେଷ ବେଳକୁ ଆସି ଭଲ ପ୍ରଦର୍ଶନ କରି ଅନେକ ମ୍ୟାଚରେ ପ୍ରଭାବ ପକାଇଛନ୍ତି । ସେ ୯ଟି ଇଂନିସରେ ୪୯ ଆଭରେଜରେ ୯୮ ରନ କରିଛନ୍ତି । ଏହି ସମୟରେ ସେ ୧୯୮ର ଦମଦାର ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଛନ୍ତି । ଏହି ସିଜିନରେ ୩୨ ରନର ସର୍ବାଧିକ ସ୍କୋର କରିଛନ୍ତି ଧୋନୀ । ସେହିପରି ତାଙ୍କ ବ୍ୟାଟରୁ ଚଳିତ ସିଜିନରେ ୧୦ ଛକା ଓ ୩ ଚୌକା ଦେଖିବାକୁ ମିଳିଛି ।

ତେବେ ୨୦୨୪ ଆଇପିଏଲରେ ଧୋନୀ ଖେଳୁଛନ୍ତି ନା ନାହିଁ ତାହା ଦେଖିବା ବାକି ରହିଲା । ହେଲେ ତାଙ୍କୁ ଆଉ ଗୋଟିଏ ସିଜିନରେ ଖେଳୁଥିବାର ଦେଖିବାକୁ ଫ୍ୟାନମାନେ ଆଶା ବାନ୍ଧି ରହିଛନ୍ତି ।