ହ୍ୱାଟ୍ସଆପକୁ ଟକ୍କର ଦେବ ସମ୍ପୂର୍ଣ୍ଣ ସ୍ୱଦେଶୀ ଆପ୍ । ସମ୍ବାଦ ଓ ସନ୍ଦେଶ ନାମକ ଦୁଇଟି ମେସେଜିଂ ଆପ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର ।

154

କନକ ବ୍ୟୁରୋ: ମେସେଜିଂ ଆପ୍ ହ୍ୱାଟ୍ସଆପରେ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଏହାକୁ ଟକ୍କର ଦେବା ଭଳି ଏକ ଦେଶୀ ଆପ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର । ବୈଦୁତିକ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨ଟି ଦେଶୀ ଆପ୍ ପ୍ରସ୍ତୁତ କରାଯାଇ ତାର ପରୀକ୍ଷଣ କରାଯାଉଛି । ଏହି ଦୁଇଟି ଆପ୍ ନାଁ ଯଥାକ୍ରମେ, ସମ୍ବାଦ ଓ ସନ୍ଦେଶ ରଖାଯାଇଛି ।

ମନ୍ତ୍ରାଳୟର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବାଦ ଓ ସନ୍ଦେଶ ଆପ୍କୁ ସମ୍ପୂର୍ଣ୍ଣ ଭାବେ ଭାରତ ସରକାର ପ୍ରସ୍ତୁତ କରୁଛନ୍ତି । ଏହା ହ୍ୱାଟ୍ସଆପ ମେସେଜିଂ ଆପର ବିକଳ୍ପ ଭାବେ କାମ କରିବ । ଏହାସହ ସରକାର ଆଉ ଏକ ଆପ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛନ୍ତି । ଗଭର୍ଣ୍ଣମେଂଟ ଇନଷ୍ଟାଂଟ ମେସେଜିଂ ସର୍ଭିସ ବା ଗିମ୍ସ ଆପ୍ ନାଁରେ ଏହି ଆପ୍କୁ କେବଳ ଭାରତ ସରକାରଙ୍କ କର୍ମଚାରୀମାନେ ନିଜ ନିଜ ଭିତରେ ମେସେଜ ଆଦାନପ୍ରଦାନ ପାଇଁ ବ୍ୟବହାର କରିବେ ।

ଅନେକ ଦିନ ପୂର୍ବରୁ ଭାରତ ନିଜର ମେସେଜିଂ ଆପ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରିବା ସହ ଏନେଇ କାମ ଆରମ୍ଭ କରିଦେଇଥିଲା । ଏହି ଆପ୍ର ସବୁଠୁ ବଡ ଫାଇଦା ଏହା ଯେ, ଏଥିରେ ଡାଟା ଚୋରି ହେବାର ଆଶଙ୍କା ନାହିଁ । ତେବେ ଏହି ଆପ୍ ଲୋକଙ୍କ ନିକଟରେ କେତେ ଗ୍ରହଣୀୟ ହେବ ତାହା ମଧ୍ୟ ଦେଖିବାର ଆବଶ୍ୟକତା ରହିଛି । ପୂର୍ବରୁ ମଧ୍ୟ ହ୍ୱାଟ୍ସଆପ୍ ଫେସବୁକ ଓ ଥାର୍ଡ ପାର୍ଟି ଆପ ସହ ୟୁଜର୍ସଙ୍କ ଡାଟା ସେୟାର କରୁଥିଲା । ହେଲେ ଏବେ ବ୍ୟବହାରକାରୀଙ୍କ ଅନୁମତି ଲୋଡି ହ୍ୱାଟ୍ସଆପ୍ ଆଇନ ସମ୍ମତ ଭାବେ ତାହା କରିବାକୁ ଯାଉଛି । ଏହାକୁ ସମାଲୋଚନା କରାଯିବା ପରେ ବ୍ୟକ୍ତିଗତ ଗୋପନୀୟତା ନିୟମ ବଦଳାଇବା ପାଇଁ ସମୟ ସୀମା ବୃଦ୍ଧି କରିଛି କମ୍ପାନୀ ।

ଭାରତ ସରକାର ପ୍ରସ୍ତୁତ କରୁଥିବା ସମ୍ବାଦ ଓ ସନ୍ଦେଶ ଆପ୍ ମଧ୍ୟରୁ କେଉଁ ଆପ୍କୁ ବ୍ୟବହାର କରିବା ପାଇଁ ଆଣିବ କିମ୍ବା ଉଭୟ ଆପ୍କୁ ବ୍ୟବହାର ପାଇଁ ଅଣାହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମିଳିଥିବା ସୂଚନା ଅନୁସାରେ ଏହାର ସଫଳ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପରିକ୍ଷଣ ପାଇଁ ଉଦଘାଟନ କରିବେ ।