ଦିଶା ରବି ପରେ ଏବେ ନିକିତା ଜାକବଙ୍କ ଉପରେ ନଜର । ପୋଲିସ କହିଲା ନିକିତାଙ୍କ ଠାରୁ ମିଳିବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

94

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଟୁଲକିଟ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିକିତା ଜାକବଙ୍କ ଉପରେ ଏବେ ତଦନ୍ତକାରୀ ଟିମର ଫୋକସ । କୁହାଯାଉଛି ଗିରଫ ହୋଇଥିବା ଦିଶା ରବିଙ୍କ ଠାରୁ ନିକିତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଚର୍ଚ୍ଚା କିଏ ଏହି ନିକିତା ଜାକବ? ଟୁଲ୍ କିଟ ପ୍ରସଙ୍ଗରେ ତାଙ୍କର କ’ଣ ଭୂମିକା ରହିଛି? ୩୦ବର୍ଷୀୟା ନିକିତା ଜାକବ ଜଣେ ପରିବେଶ କର୍ମୀ ଏବଂ ପେଶାରେ ଜଣେ ଆଇନଜୀବୀ । ୨୦୧୫ରୁ ସେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି । ପରିବେଶ କର୍ମୀ ଭାବେ କାର୍ଯ୍ୟ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ସ୍ୱିଡିଶ ପରିବେଶକର୍ମୀ ଗ୍ରେଟା ଥନବର୍ଗଙ୍କ ସହ ତାଙ୍କର ଘନିଷ୍ଠତା ରହିଥିବା ଜଣାପଡିଛି ।

ତଦନ୍ତକାରୀ ଟିମ ଅନୁଯାୟୀ ଟୁଲ କିଟ ମାମଲାରେ ଦିଶା ରବିଙ୍କ ଠାରୁ ବଡ ଭୂମିକା ରହିଛି ନିକିତା ଜାକବଙ୍କର । କାରଣ ଗ୍ରେଟା ଥନବର୍ଗଙ୍କ ଜରିଆରେ ସେ ଟୁଲ୍ କିଟକୁ ଅଧିକ ଲୋକଙ୍କ ନିକଟରେ ପଂହଚାଇବାକୁ ଚାହୁଁଥିଲେ । ନିକିତାଙ୍କର ହ୍ୱାଟ୍ସଆପ୍ ଚାଟ, ଇମେଲ ଓ ଡାଟା ଏକ ପେନଡ୍ରାଇଭ, ଡେସ୍କଟପ ଓ ମୋବାଇଲରୁ ଜବତ କରାଯାଇଛି । ନିକିତା ସିଗନାଲ, ଟେଲିଗ୍ରାମ, ସର୍ଫସାର୍କ, ପ୍ରୋଟେନ ଭିଏମ ଓ ସାଇବର ଘୋଷ୍ଟ ଭଳି ଆପ୍ ବ୍ୟବହାର କରୁଥିବା ଜଣାପଡିଛି । ଏପରିକି ଖାଲିସ୍ତାନୀ ସଂସ୍ଥା ‘ପଏଟିକ ଜଷ୍ଟିସ ଫାଉଣ୍ଡେସନ’ର ଏକ ଇମେଲ ମଧ୍ୟ ନିକିତା ବ୍ୟବହାର କରଥିବା ତଦନ୍ତରୁ ଜଣାପଡିଛି ।

ସେପଟେ ଏହି ମାମଲାରେ ଗିରଫ ଦିଶା ରବି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଟୁଲ୍ କିଟ ମାମଲା ସଂକ୍ରାନ୍ତ ତଦନ୍ତ ତଥ୍ୟ ସମେତ ତାଙ୍କର ବ୍ୟକ୍ତିଗତ ହ୍ୱାଟ୍ସଆପ ଚାଟ ଗଣମାଧ୍ୟମକୁ ଦେବାରୁ ନିବୃତ ରହିବାକୁ ପୋଲିସକୁ ନିର୍ଦ୍ଦେଶ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ବେଙ୍ଗାଲୁରୁର ପରିବେଶ କର୍ମୀ ଦିଶା ରବି । ସେପଟେ ଟୁଲ୍ କିଟ ମାମଲାରେ ନିକିତା ଜାକବଙ୍କୁ ବମ୍ବେ ହାଇକୋର୍ଟ ୩ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଅର୍ଥାତ ଏହି ସମୟ ମଧ୍ୟରେ ପୋଲିସ ତାଙ୍କୁ ଗିରଫ କରିପାରିବନାହିଁ । କୋର୍ଟ କହିଛନ୍ତି ଯଦି ଏହି ସମୟ ଭିତରେ ନିକିତା ଗିରଫ ହୁଅନ୍ତି ତେବେ ୨୫ହଜାର ଟଙ୍କା ମୁଚାଲିକା ଦାଖଲ କରି ମୁକୁଳିପାରିବେ । ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ଶାନ୍ତନୁଙ୍କୁ ମଧ୍ୟ ୧୦ ଦିନ ଅନ୍ତରୀଣ ଜାମିନ ମିଳିସାରିଛି । ଦିଶା, ନିକିତା ଓ ଶାନ୍ତନୁ ଖଲିସ୍ତାନୀ ସଂଗଠନ ସହ ଜଡିତ ରହିବା ସହ ଟୁଲକିଟ ନିର୍ମାଣ କରିବାରେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏପରିକି ଦିଲ୍ଲୀରେ ହିଂସାକୁ ଅଧିକ ଉଗ୍ର କରିବା ପାଇଁ କାନାଡାରେ ବସିଥିବା ଖଲିସ୍ତାନୀ ସଂଗଠନ ସହ ଜୁମ ଆପରେ ବୈଠକ ମଧ୍ୟ କରିଥିଲେ ।

ଚାଷୀ ଆନ୍ଦୋଳନ ସମ୍ପର୍କରେ ଏହି ଟୁଲ୍ କିଟକୁ ଏଡିଟ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ନେଇ ନିକିତା, ଶାନ୍ତନୁ ଓ ଦିଶାଙ୍କ ନାଁରେ ଅଭିଯୋଗ ରହିଛି । ଏହା ହେଉଛି ସେହି ଟୁଲ୍ କିଟ ଯାହାକୁ ସ୍ୱିଡିଶ ପରିବେଶବିତ ଗ୍ରେଟା ଥନବର୍ଗ ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଥିଲେ । ଏହେଉଛି ସେହି ଗୁଗଲ ଡକ୍ୟୁମେଂଟ ଯାହାକୁୁ ୩ତାରିଖ ଦିନ ଗ୍ରେଟା ନିଜର ଟ୍ୱିଟର ଆକାଉଂଟରୁ ସେୟାର କରିବା ପରେ ପୁଣି ଡିଲିଟ କରିଦେଇଥିଲେ । କିନ୍ତୁ ଏହି ଡକ୍ୟୁମେଂଟରେ ଥିବା ଷଡଯନ୍ତ୍ର ସମସ୍ତଙ୍କ ସାମ୍ନାକୁ ଆସିସାରିଥିଲା ।