ବିକାନିର ଜମି ଦୁର୍ନୀତି ମାମଲାରେ ବଢିଲା ରବର୍ଟ ଭଦ୍ରାଙ୍କ ଅଡୁଆ। ଭଦ୍ରାଙ୍କ ଆବେଦନକୁ ଖାରଜ କଲେ ରାଜସ୍ଥାନ ହାଇକୋର୍ଟ।

117

କନକ ବ୍ୟୁରୋ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ବାଡ୍ରା ଓ ତାଙ୍କ ମା’ ମୌରିନ ବାଡ୍ରାଙ୍କ ବଢ଼ିପାରେ ଅଡ଼ୁଆ । ଜମି କିଣାବିକା ସମ୍ବନ୍ଧିତ ମନି ଲଣ୍ଡ୍ରିଂ ମାମଲାକୁ ରଫାଦଫା କରିବା ଆବେଦନ ଖାରଜ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଏହାସହ ଦୁଇ ସପ୍ତାହ ପର୍ଯ୍ୟନ୍ତ ବାଡ୍ରାଙ୍କ ଓ ତାଙ୍କ ସହ ଜମି ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟମାନଙ୍କ ଗିରଫଦାରୀ ଉପରେ ରହିତାଦେଶ ଜାରି କରିଛନ୍ତି । ଏହାରି ଭିତରେ ଅଭିଯୋଗକାରୀ ପୁନର୍ବାର ଆବେଦନ ମଧ୍ୟ କରିପାରିବେ । ବିଚାରପତି ଡ. ପୁଷ୍ପେନ୍ଦ୍ର ସିଂ ଭାଟିଙ୍କ ଏକକ ଖଣ୍ଡପୀଠ ଉଭୟ ପକ୍ଷର ଆବେଦନର ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ୨୦୦୮ରେ ବିକାନେରର କୋଲାୟତରେ ସରକାରୀ ଜମି କିଣାବିକାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଥିଲା । ସ୍କାଏଲାଇଟିଂ କମ୍ପାନୀର ଚେକରେ ଜଣେ ଡ୍ରାଇଭାରଙ୍କ ନାଁରେ ଏହି ଜମି କିଣାଯାଇଥିଲା ଏବଂ ପରେ ଡ୍ରାଇଭର ଜଣକ ଉକ୍ତ ଜମିକୁ କମ୍ପାନୀକୁ ବିକ୍ରି କରିଦେଇଥିଲେ । ମାମଲା ସାମନାକୁ ଆସିବା ପରେ ଏଫଆଇଆର୍ ରୁଜୁ କରାଯାଇଥିଲା । ପରେ ଆଉ ୧୭ଟି ଏଫଆଇଆର୍ ରୁଜୁ ହେବା ପରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା । ମନି ଲଣ୍ଡରିଂ କଥା ସାମ୍ନାକୁ ଆସିବା ପରେ ଇଡି ସକ୍ରିୟ ହୋଇଥିଲା ଏବଂ ଇସିଆର ଦାଖଲ କରିଥିଲା।